ମହାନଦୀରେ ବନ୍ୟା ସ୍ଥିତି ନେଇ ସତର୍କ କଲେ ସରକାର । ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ଡ୍ୟାମର ବନ୍ୟା ଜଳ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଖୋଲିଲା ହୀରାକୁଦର ୪୬ ଗେଟ୍, ବନ୍ୟା ସ୍ଥିତିର ମୁକାବିଲା ପାଇଁ ୬ ବରିଷ୍ଠ ଆଇଏଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ।

270

କନକ ବ୍ୟୁରୋ: ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ସମ୍ବଲପୁରସ୍ଥିତ ହୀରାକୁଦ ଜଳଭଣ୍ଡାରରେ ଘଂଟାକୁ ୮ ସେଂଟିମିଟର ବଢୁଛି ଜଳସ୍ତର । ଏହି ପାଣି ଆସନ୍ତାକାଲି ମୁଣ୍ଡୁଳିରେ ପହଂଚିବା ପରେ ମହାନଦୀ ଅବବାହିକା ଏବଂ ଉପକୂଳ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି ।

ହୀରାକୁଦ ଜଳଭଣ୍ଡାରରେ ଯେତିକି ଯେତିକି ଗେଟ ଖୋଲୁଛି, ଉପକୂଳ ତଥା ତଳିଆ ଅଂଚଳବାସୀଙ୍କ ମନରେ ସେତିକି ଛନକା ପଶୁଛି । କାରଣ ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ବଢୁଥିବା କାରଣରୁ ଡ୍ୟାମର ୪୬ଟି ଗେଟ ଖୋଲାସରିଛି । ତେଣୁ ଏହି ବନ୍ୟା ଜଳ ଆସନ୍ତାକାଲି ସକାଳ ୫ଟା ସୁଦ୍ଧା କଟକସ୍ଥିତ ମୁଣ୍ଡଳିରେ ପହଁଚିବ । ଏହି ସମୟରେ ମୁଣ୍ଡଳିରେ ୧୦ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେବ ।

ସେହିପରି ଆଜି ହୀରାକୁଦରୁ ଛଡା ଯାଇଥିବା ପାଣି ୩୬ ଘଂଟା ପରେ ମୁଣ୍ଡଳିରେ ପହଂଚିବ । ତେଣୁ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ବନ୍ୟା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । ବିଶେଷକରି ତଳିଆ ଅଂଚଳର ଲୋକେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟ ଭିତରେ ଅଛନ୍ତି ।

ସେପଟେ ବନ୍ୟା ସ୍ଥିତିର ତଦାରଖ ପାଇଁ ୬ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଇଏଏସ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା, ଡି କେ ସିଂହଙ୍କୁ କଟକ, ରାଜସ୍ୱ ସଚିବ ବିଷ୍ଣୁ ପ୍ରସାଦ ସେଠୀଙ୍କୁ ଭଦ୍ରକ, ବିଶାଲ ଦେବଙ୍କୁ ବାଲେଶ୍ୱର, ବୀର ବିକ୍ରମ ଯାଦବଙ୍କୁ ଯାଜପୁର, ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଓ କେନ୍ଦ୍ରାଂଚଳ ଆରଡିସିଙ୍କୁ ପୁରୀ ଦାୟିତ୍ୱ ଦିଆଯାଇଛି । ଏହି ଅଧିକାରୀମାନଙ୍କୁ ତୁରନ୍ତ ସମ୍ପୃକ୍ତ ଜିଲ୍ଲା ଗସ୍ତ କରିବା ପାଇଁ କୁହାଯାଇଛି ।

ହୀରାକୁଦ ଡ୍ୟାମରେ ମୋଟ୍ ୯୮ଟି ଗେଟ୍ ରହିଛି । ହୀରାକୁଦ ଜଳଭଣ୍ଡାରରେ ଘଂଟାକୁ ୮ ସେଂଟିମିଟର ବଢୁଛି ଜଳସ୍ତର । ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ରହିଛି ୬୩୦ ଫୁଟ୍ । ବର୍ତମାନ ଡ୍ୟାମର ଜଳସ୍ତର ରହିଛି ୬୨୬.୯୭ ଫୁଟ । ଜଳସ୍ତର ବଢିବା ପରେ ଡ୍ୟାମର ୪୬ଟି ଗେଟ୍ ଖୋଲା ଯାଇଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୯ ଲକ୍ଷ ୧୧ ହଜାର ୨୭୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୭ ଲକ୍ଷ ୫୮ ହଜାର ୮୦୮କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।