ମୁଣ୍ଡୁଳିରେ ପହଁଞ୍ଚିଲା ହୀରାକୁଦ ଡ୍ୟାମର ବନ୍ୟା ଜଳ: ନରାଜରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ପାଣି; ଦେବୀ, ଦୟା, ଭାଗର୍ବି, ଚିତ୍ରୋତ୍ପଳା ଟଳମଟଳ

କେନ୍ଦ୍ରାପଡା ,ଜଗତସିଂହପୁ ଓ ପୁରୀ ଜିଲ୍ଲାକୁ ଅଧିକ ବିପଦ । ଉପରମୁଣ୍ଡରେ ବର୍ଷା ଯୋଗୁଁ ୪୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

247

କନକ ବ୍ୟୁରୋ: ମହାରୂପ ନେଇଛି ମହାନଦୀ । ମାଡି ଆସୁଛି ବନ୍ୟା ଜଳ । ମୁଣ୍ଡଳିରେ ପହଁଚିଲା ହୀରାକୁଦ ଡ୍ୟାମ ପାଣି । ହୀରାକୁଦ ଡ୍ୟାମରୁ ଶୁକ୍ରବାର ନିଷ୍କାସିତ ପ୍ରାୟ ୧୦ ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ପହଁଚିଛି । ଏହି ବନ୍ୟାଜଳ ଆଜି ରାତି ସୁଦ୍ଧା କଟକ, ଜଗତସିଂହପୁର ଓ ପୁରୀ ଆଦି ଜିଲ୍ଲାରେ ପଶିବ । ଏହାର ପ୍ରଭାବରେ ମହାନଦୀ ଓ ଏହାର ଶାଖା ନଦୀ ଗୁଡିକର ଜଳସ୍ତର ଅଧିକାଂଶ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ନରାଜଠାରେ ମହାନଦୀରେ ବିପଦ ସଂକେତଠାରୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଆଳି ପିଙ୍ଗଳଠାରେ ଜଳସ୍ତର ବଢ଼ିବାରେ ଲାଗିଛି । ଦୟା, ଭାଗର୍ବି, କୁଶଭଦ୍ରା, ଚିତ୍ରୋତ୍ପଳା ସମେତ ଶାଖା ନଦୀଗୁଡିକ ଟଳମଟଳ ହେଲାଣି । ନଦୀ ଗୁଡିକର ଏପରି ରୂପ ଦେଖି ନଦୀ କୂଳିଆ ଅଂଚଳରେ ବସବାସ କରୁଥିବା ଲକ୍ଷ ଲକ୍ଷ ଲୋକ ଛାନିଆ ହୋଇ ଯାଇଛନ୍ତି । ଏବେଠାରୁ ବିଭିନ୍ନ ଜିଲ୍ଲାର କେତେକ ଗାଁରେ ପାଣି ପଶିବା ଆରମ୍ଭ ହୋଇଗଲାଣି ।

ଏପଟେ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି, ହୀରାକୁଦ ଡ୍ୟାମ୍ର ପାଣି ମୁଣ୍ଡୁଳିରେ ପହଂଚିବା ପରେ ଏହାର ପ୍ରଭାବରେ କଟକ, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ବନ୍ୟାର ଆଶଙ୍କା ରହିଛି ।

ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଛି ମହାନଦୀ , ଦେବୀ ଓ ପାଇକା ନଦୀ । ମହାନଦୀରେ ବନ୍ୟାଜଳ ଆସିବା ପରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତଳିଆ ଅଂଚଳରୁ ବିପଦରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ସହ ନଦୀବନ୍ଦ ଉପରେ ନଜର ରଖିଛି ପ୍ରଶାସନ । ଜଗତସିଂହପୁର ଜିଲ୍ଲା ବନ୍ୟା ସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଭିନ୍ନ ତଳିଆ ଅଂଚଳକୁ ଯାଇ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ବନ୍ୟା ପ୍ରଭାବିତଙ୍କୁ କିଭଳି ଉଦ୍ଧାର କରାଯାଇ ରିଲିଫ୍ ପ୍ରଦାନ କରାଯିବ ଏବଂ ବନ୍ୟାରେ ଯେପରି କାହାର ପ୍ରାଣହାନି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ସମସ୍ତ ଅଧିକାରୀଙ୍କ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।