କନକ ବ୍ୟୁରୋ : ବନ୍ୟାରେ ଭାସିଲେ ବ୍ରହ୍ମାଣ୍ଡକର୍ତ୍ତା ବିଷ୍ଣୁ । ଏଭଳି ଦୃଶ୍ୟ ଆସାମରେ ଦେଖିବାକୁ ମିଳିଛି । ଆସାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ସାଧାରଣ ଜୀବନ ଦୁର୍ବିସହ ହୋଇପଡିଥିବା ବେଳେ ଭଗବାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ଘରଦ୍ୱାର ଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁଠି କେବଳ ପାଣି ଆଉ ପାଣି । ପୂରା ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ଘର ଓ ମନ୍ଦିର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଆଉ ଏସବୁ ଭିତରେ ଗୌହାଟିର କାଳୀପୁର ଅଞ୍ଚଳରେ ଥିବା ଚକ୍ରେଶ୍ୱର ମନ୍ଦିରରେ ଥିବା ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପ୍ରବଳ ଜଳସ୍ରୋତରେ ମଧ୍ୟ ଅଟଳ ଓ ନିଶ୍ଚଳ ରହିଛି ଭଗବାନଙ୍କ ଏହି ମୂର୍ତ୍ତି । ଏହାପୂର୍ବରୁ ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ମଧ୍ୟ ମହାଦେବଙ୍କ ମୂର୍ତ୍ତି ଉପରେ ଜଳ ପ୍ରବାହିିତ ହୋଇଥିଲା । ଯେଉଁ ଦୃଶ୍ୟକୁ ମନେପକାଇଲେ ଲୋମ ଟାଙ୍କୁରି ଉଠେ ।

Advertisment

ବ୍ରହ୍ମପୁତ୍ର ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଆସାମରେ ଏବେ ବନ୍ୟା ସ୍ଥିତି ଉପୁଜିଛି । ଏବେ ପର୍ଯ୍ୟନ୍ତ ବନ୍ୟାରେ ୬ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୭ଟି ଜିଲ୍ଲାର ୯ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଚାଷ ଜମିରେ ପାଣି ପଶିବା ସହ ଘର ଗୁଡିକ ମଧ୍ୟ ବୁଡି ରହିଛି । ବନ୍ୟା ପ୍ଲାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହା ଉପରେ କଡା ନଜର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନିତ୍ୱ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜରୁରୀ କାଳୀନ ସ୍ଥିତିର ମୁକାବିଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।