ଭୟଙ୍କର ରୂପ ନେବ ନାହିଁ ମହାନଦୀର ବନ୍ୟା, ଛତିିଶଗଡ଼ରେ ବର୍ଷା ବନ୍ଦ । ଉପରମଣ୍ଡରୁ ହୀରାକୁଦକୁ କମିଲା ଜଳପ୍ରବାହ । ହେଲେ ପୂର୍ଣ୍ଣମୀରେ ଜୁଆରିଆ ସମୁଦ୍ର ପାଇଁ ଧୀରେଧୀରେ ହେଉଛି ଜଳ ନିଷ୍କାସନ, ହୀରାକୁଦରେ ୩ଟି ଗେଟ ବନ୍ଦ ।

169

କନକ ବ୍ୟୁରୋ: ବିଜୁଳି ବେଗରେ ମାଡ଼ି ଆସୁଥିବା ବନ୍ୟା ପାଣି ହୀରାକୁଦ ଡ୍ୟାମ୍ର ତଳିଆ ଅଂଚଳରେ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି । ହେଲେ ଆଶ୍ୱସ୍ତିର କଥା ହେଉଛି, ଉପର ମୁଣ୍ଡରେ ବର୍ଷା କମୁଛି । ତେଣୁ ଅତି ଆବଶ୍ୟକ ନହେଲେ ଡ୍ୟାମ୍ରୁ ଆଉ ଗେଟ୍ ଖେଳିବ ନାହିଁ । ଆଉ ଏପଟେ ମୁଣ୍ଡଳୀରେ ପହଂଚି ସାରିଛି ହୀରାକୁଦ ଡ୍ୟାମ୍ ପ୍ରଥମ ବନ୍ୟା ଜଳ । ପୂର୍ବରୁ ମୁଣ୍ଡଳୀରେ ସର୍ବାଧକ ୧୦ ଲକ୍ଷ ଘନଫୁଟ ଜଳ ପ୍ରବାହର ଆକଳନ ଥିବା ବେଳେ ଏହା ସେକେଣ୍ଡ ପିଛା ୯ ଲକ୍ଷ ୯୫ ହଜାର ଘଟଫୁଟ ଜଳ ପ୍ରବାହିତ ହେଉଛି ।

ମୁଣ୍ଡଳୀରୁ ବର୍ତମାନ କାଠଯୋଡ଼ି ଓ ମହାନଦୀ ଦେଇ ଏହି ବନ୍ୟାଜଳ ପ୍ରଭାବିତ ହେଉଛି । କାଠଯୋଡି ପଟେ ଦେବୀ, ଦୟା, ଭାର୍ଗବୀ, କୁଶଭଦ୍ରା ନଦୀ ଦେଇ ବନ୍ୟାଜଳ ସମୁଦ୍ରରେ ପହଂଚିବ । ସାଧାରଣତଃ ଏହା ୯ ଘଂଟା ସମୟ ଲାଗୁଥିବା ବେଳେ ପୂର୍ଣ୍ଣମୀ ପ୍ରଭାବ ଯୋଗୁଁ ବନ୍ୟାଜଳ ସମୁଦ୍ରରେ ପହଂଚିବା ପାଇଁ ୧୨ରୁ ୧୫ ଘଂଟା ସମୟ ଲାଗିବ । ଏହାର ପ୍ରଭାବରେ ଖୋର୍ଦ୍ଧ ଓ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିବ । ସେହିପରି ମହାନଦୀ ଅର୍ଥାତ୍ ବାମପଟେ ଲୁଣା, ଚିତ୍ରୋତ୍ପଳା, ବିରୁପା ଦେଇ ବନ୍ୟାଜଳ ସମୁଦ୍ରରେ ପହଂଚିବ । ଆଉ ଏଠି ବି ପୂର୍ଣ୍ଣମୀ ପ୍ରଭାବ ଜଳନିଷ୍କାସନ ଉପରେ ପଡ଼ିବ । ଆଉ ଏହାର ପ୍ରଭାବ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାର ବନ୍ୟା ସ୍ଥିତି ଉପରେ ପଡ଼ିବ ।

ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ-ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ ଏବଂ ବ୍ରାହ୍ମଣୀ ରିଭର ସିଷ୍ଟମ୍ରେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ବ୍ରହ୍ମଣୀ ରିଭର ସିଷ୍ଟମ୍ରେ ଆସୁଥିବା ରେଙ୍ଗାଲି ଡ୍ୟାମ୍ରେ ୪ଟି ଗେଟ୍ ଖୋଲା ଯାଇଥିଲା । ବର୍ତମାନ ୩ଟି ବନ୍ଦ ରହିଛି । ଆଗକୁ ସ୍ଥିତି ଦେଖି ଅବଶିଷ୍ଟ ଗୋଟିଏ ବନ୍ଦ କରାଯିବ ବୋଲି ସୂଚନା ଦିଆଯାଇଛି ।

ରାଜ୍ୟରେ ବନ୍ୟା ଯୋଗୁଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଟି ଜିଲ୍ଲାର ୧୧୨ ବ୍ଲକ୍ ପ୍ରଭାବିତ ହୋଇଛି । ମୋଟ୍ ୩୨୫୬ ଗାଁ ପ୍ରଭାବିତ ହୋଇଥିବା ବେଳେ ୩୪୦ ଗାଁ ଜଳବନ୍ଦୀରେ ରହିଛି । ସେହିପରି ୧୦ ହଜାର ୩୮୨ ଘର ନଷ୍ଟ ହୋଇଛି । ମୋଟ୍ ୧ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ବନ୍ୟାରେ ଯାଜପୁର ଜିଲ୍ଳା ସର୍ବାଧିକ ପ୍ରଭାବିତ ହୋଇଛି । ଆଉ ମୋଟ୍ ୩୨ଟି ଘାଇ ସୃଷ୍ଟି ହୋଇଛି ।