ବନ୍ୟାରେ ଗଲାଣି ୧୭ ଜୀବନ, ରାଜ୍ୟରେ ପ୍ରଭାବିତ ୨୦ ଜିଲ୍ଲା । ୧୦ ହଜାରରୁ ଅଧିକ ଘର ଭାଙ୍ଗିଥିବାବେଳେ ୧ ଲକ୍ଷ ୬୮ ହଜାର ହେକ୍ଟର ଚାଷଜମି ହୋଇଛି ଜଳମଗ୍ନ ।

142

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ସୂଚନା । ଲଘୁଚାପ ପ୍ରଭାବରେ ହୋଇଥିବା ବର୍ଷା ଓ ପରେ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥପଡ଼ି ଓ ପାଣି ଭସାଇ ନେବାରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ୨୦ଟି ଜିଲ୍ଲାର ୧୪ ଲକ୍ଷ ୩୨ ହଜାର ଲୋକ ବନ୍ୟା ଜଳରେ ହୋଇଛନ୍ତି ପ୍ରଭାବିତ ।

ଏସଆରସି କହିଛନ୍ତି, ୧୦ ହଜାର ୩୮୨ଟି ଘର ଭାଙ୍ଗିଥିବା ବେଳେ ୧ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ବର୍ଷା ଛାଡ଼ିବାର ୨ ଦିନ ବିତିଯାଇଥିଲେ ବି ପରବର୍ତ୍ତୀ ଅବସ୍ଥା ସୁଧୁରି ନାହିଁ । ଆଜି ୩୪୦ଟି ଗାଁ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ଏଥିରେ ୨ ଲକ୍ଷ ୬୫ ହଜାର ୭୨୩ ଜଣ ଅଛନ୍ତି । ଆଜି ୩୫୭ଟି କେନ୍ଦ୍ରରେ ୫୭ ହଜାର ୮୨୪ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି । ଏସ‌ଆରସି ଦେଇଥିବା ସୂଚନା ଅନୁସାରେ ରାଜ୍ୟର ୧୧୨ଟି ବ୍ଲକର ୮୯୬ଟି ପଂଚାୟତ ବନ୍ୟା ଜଳରେ ପ୍ରଭାବିତ ହୋଇଛି, ଯେଉଥିରେ କି ୩୨୫୬ଟି ଗାଁ ରହିଛି । ସେହିପରି ୨୧ଟି ବିଜ୍ଞାପିତ ଅଂଚଳ ପରିଷଦ ମଧ୍ୟ ବନ୍ୟା ବିପର୍ଯ୍ୟର ସମ୍ମୁଖୀନ ହୋଇଛି, ଯେଉଁଥିରେ ୭୫ଟି ଓ୍ଵାର୍ଡ ରହିଛି ।

ସେହିପରି ବନ୍ୟାରେ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ୪୫ଟି ମେଡିକାଲ ଟିମ, ପଶୁମାନଙ୍କ ପାଇଁ ୪୨ଟି ଟିମ ମୁତୟନ ଅଛନ୍ତି । ସେହିପରି ୧୪ଟି ଏନଡିଆରଏଫ ଟିମ୍‌, ୧୭ଟି ଓଡ୍ରାଫ୍‌ ଟିମ୍‌ ଓ ୨୨ଟି ଅଗ୍ନଶମ ବାହିନୀ ଟିମ ମୁତୟନ ହୋଇଛନ୍ତି । ବନ୍ୟା ବିପନ୍ନ ଲୋକଙ୍କୁ ଉଦ୍ଧାର ପାଇଁ ୨୫୪ଟି ଡଙ୍ଗା ନିୟୋଜିତ ହୋଇଛି। ୧୧ଟି ଜିଲ୍ଲାର ୧୦୭ଟି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଏସଆରସି କହିଛନ୍ତି ।