ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା! ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ହୋଇପାରେ ବନ୍ୟା?

1,906

କନକ ବ୍ୟୁରୋ : ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରେସମିଟ୍ । ଆସନ୍ତା ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀରେ ବନ୍ୟା ଆଶଙ୍କା ରହିଥିବା କହିଛନ୍ତି ଏସଆରସି । ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବଢିଛି । ଫଳରେ ରେଙ୍ଗାଲିର ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି । ତେଣୁ ବ୍ରାହ୍ମଣୀରେ ଜଳସ୍ତର ବଢିବ ।

ସେହିଭଳି ଛତିଶଗଡରେ ପ୍ରବଳ ବର୍ଷା ଫଳରେ ଏବେ ହୀରାକୁଦରେ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିଭଳି ହୀରାକୁଦରୁ ୨୮ଟି ଗେଟ୍ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନଦୀ ମଧ୍ୟକୁ ନିଷ୍କାସିତ ହେଉଛି ।ପୂରା ସ୍ଥିତି ଉପରେ ନଜର ରଖାଯାଇଛି । ତେବେ ବର୍ଷାର ପରିମାଣ ବଢୁଥିବାରୁ ଶନିବାର ଦିନ ସକାଳ ବେଳକୁ ମୁଣ୍ଡଳିରେ ପାଖାପାଖି ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଯାହାଦ୍ୱାରା ଶନିବାର ଦିନ ସନ୍ଧ୍ୟା ବେଳକୁ କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ । ଯେଉଁଥିପାଇଁ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଛି ।

ତେବେ ଏହି ସମୟରେ ଯେପରି ବିଶେଷ କ୍ଷତି ନହେବ ତାହା ପ୍ରତି ଦୃଷ୍ଟି ଦିଆଯାଇଛି । ଆଉ ଏଥିପାଇଁ ସର୍ତକତାମୂଳକ ପଦକ୍ଷେପ ସ୍ୱରୂପ ଓଡ୍ରାଫର ୩୦ଟି ଦଳ, ଏନଡିଆରଏଫର ୧୨ଟି ଟିମ୍ ଓ ଅଗ୍ନିଶମର ୧୦ଟି ଟିମ୍ ପଠାଯାଇଛି । ବନ୍ୟା ଆଶଙ୍କା ଥିବା ୬ଟି ଜିଲ୍ଲାକୁ ଏହି ଟିମ୍ ପଠାଯାଇଛି । କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, ପୁରୀ ଜିଲ୍ଲାରେ ଏହି ଟିମ୍ ମୁତୟନ କରାଯାଇଛି ।