ଲଗାଣ ବର୍ଷାରେ ବେହାଲ ଅଧା ଓଡିଶା: ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି

115

କନକ ବ୍ୟୁରୋ: ତିନି ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଂଚଳରେ ବର୍ଷା ପାଣି ଜମି ରହିଛି । ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ବିଶେଷକରି ଇନ୍ଦ୍ରାବତୀ, ବଂଶଧାରା, ଭାସ୍କେଲ ଭଳି ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଯାହା ନଦୀ କୂଳିଆ ଅଂଚଳର ଲୋକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ପରିସ୍ଥିତିକୁ ଦେଖି ସଜାଗ ରହିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ତିନି ଦିନ ଧରି ଲଗାଣ ବର୍ଷା ନବରଂଗପୁରରେ ସୃଷ୍ଟି ହୋଇଛି ଏମିତି ସ୍ଥିତି । ପାଣି ଜମି ରହିବା ଯୋଗୁଁ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ଲୋକମାନେ ଏକପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି । ଅନ୍ୟପଟେ ବିଭିନ୍ନ ନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ନବରଂଗପୁର ଦେଇ ପ୍ରବାହିତ ହେଉଥିବା ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବିପଦ ସଂକେତ ଛୁଇଁଛି । ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପରସ୍ଥିତିକୁ ଦେଖି ଆଗୁଆ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ବରିଷ୍ଠ ନାଗରିକଙ୍କୁ ନିକଟରେ ଥିବା ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗଜପତି ଜିଲ୍ଲା କାଶୀନଗର ଠାରେ ନଦୀର ଜଳସ୍ତର ବିପଦ ସଂକେତ ଟପି ଯାଇଛି । ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କାଶୀନଗର ଦୈନିକ ବଜାର ସମେତ ଅନ୍ୟ ତଳିଆ ଅଂଚଳରେ ପଶି ଯାଇଛି ନଦୀ ଜଳ । ଜଳସ୍ତର ବଢ଼ୁଥିବାରୁ ଭୟଭୀତ ହୋଇପଡିଛନ୍ତି ଲୋକେ ।

ଗଜପତି ମୋହନା ହରଭଙ୍ଗୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତଳିଆ ଅଂଚଳରେ ଥିବା କେତେକ ଗାଁରେ ମଧ୍ୟ ବନ୍ୟାଜଳ ପଶି ଯାଇଛି । ଫଳରେ ମୋହନାକୁ ସଂଯୋଗ କରୁଥିବା ବାଢେଇପୁରରୁ ନେଇ , ଧନୁପଙ୍କ ଓ ନୂଆ ସାହି ଗାଁର ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି ।

ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାବେଳେ ମନ୍ତ୍ରୀ କହିଛନ୍ତି ସବୁ ନଦୀ ବିପଦ ସଂକେତ ତଳେ ଅଛନ୍ତି । କେବଳ ବଂଶଧାରା ନଦୀ ବିପଦ ସଂକେତର ସାମାନ୍ୟ ଉପରେ ଅଛି । ଉପକୂଳ ଓଡିଶାରେ ସବୁବେଳେ ବନ୍ୟା ଭୟ ଥାଏ । ତେଣୁ ସଜାଗ ରହିଛି ଜଳସମ୍ପଦ ବିଭାଗ । ଏସଆରସି କହିଛନ୍ତି ବନ୍ୟା ସ୍ଥିତି ଉପରେ ନଜର ରଖାଯାଇଛି । ଜିଲ୍ଲାପାଳ, ଓଡ୍ରାଫ, ଫାୟାର ଏ ଦିଗରେ ସଜାଗ ଅଛନ୍ତି ।

ଦୁର୍ବଳ ହୋଇଛି ଅବପାତ । ଛତିଶଗଡ଼ ଏବଂ ପାଶ୍ୱର୍ବର୍ତୀ ପୂର୍ବ ମଧ୍ୟପ୍ରଦେଶ ଉପରେ ଦୁର୍ବଳ ହୋଇ ୱେଲ୍ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇଛି । ୯ ଜିଲ୍ଲାକୁ ଅରେଂଜ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏବଂ ଗୁରୁବାରଠାରୁ ବର୍ଷାର ପରିମାଣ କମିବ ।କିନ୍ତୁ ୧୩ ତାରିଖରୁ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।