ବନ୍ୟାର କରାଳରୂପ । ଗାଁ ଗାଁରେ ପସିଲାଣି ପାଣି, ଭୋକ ଉପାସରେ ପଡିରହିଛନ୍ତି ଲୋକେ : ପହଂଚୁଛି ପ୍ରଶାସନ

52

କନକ ବ୍ୟୁରୋ : ମହାନଦୀ ପାଣି ଚିତ୍ରୋତ୍ପଳା ଓ ଏହାର ଶାଖା ନଦୀ ଗୁଡିକରେ ପଶିବା ପରେ ତଳିଆ ଅଂଚଳରେ ବନ୍ୟାଜଳ ପଶିଛି । ମାର୍ଶାଘାଇ ବ୍ଲକ ଦେଇ ପ୍ରବାହିତ ହୋଇଥିବା ଲୁଣା ଓ କରାଣ୍ଡିଆ ନଦୀର ଜଳସ୍ତର ବଢ଼ିବା ପରେ ବହୁ ଗାଁ ଜଳମଗ୍ନ ହୋଇଛି । ମାର୍ଶାଘାଇ ବ୍ଲକର ଜଳପୋଖ ପଂଚାୟତ, ଆୟତିପୁର ପଂଚାୟତର ଅଧିକାଂଶ ଗାଁ ଭିତରେ ପାଣି ପଶି ଯାଇଛି । ଫଳରେ ଶହ ଶହ ପରିବାର ଏବେ ପାଣି ଘେରରେ ରହିଛନ୍ତି । ଏହି ସବୁ ଗାଁକୁ ଯାଇଥିବା ରାସ୍ତା ମଧ୍ୟ ବୁଡିଯିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି ।

ଡଙ୍ଗା ହିଁ ଏକମାତ୍ର ଭରସା ସାଜିଛି । ସେପଟେ ନଦୀର ଜଳସ୍ତର ବଢ଼ୁଥିବାରୁ ଆହୁରି ଆତଙ୍କିତ ହୋଇ ପଡିଛନ୍ତି ଗ୍ରାମବାସୀ । ସେହିପରି ଚାଷ ଜମି ବୁଡିଯିବାର ଫସଲ ନଷ୍ଟ ହୋଇଛି । ପ୍ରାୟ ପ୍ରତ୍ୟକ ବର୍ଷ ଲୁଣା ଏବଂ କରାଣ୍ଡିଆ ଦୁଇ ନଦୀର ମଝିରେ ଥିବା ଏହି ସବୁର ଗ୍ରାମର ଲୋକମାନେ ନଦୀରେ ବନ୍ୟା ଆସିଲେ କ୍ଷତିଗ୍ରସ୍ତ ହେବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଖୋର୍ଦ୍ଧାରେ ପଶିଲା ବନ୍ୟାଜଳ । ରାଜୁଆ ନଦୀ ଫୁଲିବାରୁ ଖୋର୍ଦ୍ଧା ଜିଲ୍ଲାର ୨ ପଂଚାୟତ ଓବରସିଂ ଓ ନରଣଗଡର ପାଖାପାଖି ୧୫ଟି ଗାଁ ଏବେ ଜଳବନ୍ଦୀ ହୋଇ ରହିଛି । ଓବରସିଂହ ପଂଚାୟତର ହିରିମୁଳୁ, ରାଇପୁର, ମଶାଣିଆ, କୃଷ୍ଣପୁର ଓ ନରଣଗଡର ଓରମି, ମାନପୁର, ଦିହଖଳା ଆଦି ଗାଁରେ ପାଣି ପଶିଛି ।

ଏପରିକି ଲୋକଙ୍କ ଘର ଭିତରେ ମଧ୍ୟ ବନ୍ୟା ଜଳ ପଶି ଯାଇଛି । ଘରେ ପାଣି ପଶିବା ପରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି । ପାଣି ବଢ଼ୁଥିବାରୁ ବହୁ ସଂଖ୍ୟାରେ ଲୋକ ଆଶ୍ରୟସ୍ଥଳୀକୁ ଯିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ରାଜୁଆ ନଦୀର ଜଳ ଦିହଖଳା- ହିରିମୁଳୁ ରାସ୍ତା ଉପରେ ପ୍ରବାହିତ ହେଉଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ପାଂଚ ଦିନ ହେଲା ପାଣି ଘେରରେ ଅଛନ୍ତି ଆଳି ଓ ରାଜକନିକାର ବ୍ଲକର ୩୦ ପଂଚାୟତର ହଜାର ହଜାର ଲୋକେ । ବିଶେଷ କରି ଧୋୟା ଅଂଚଳର ୧୦ ପଂଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ମୁଖ୍ୟ ରାସ୍ତା ଉପରେ ଏବେ ବି ବେକେ ଉଚ୍ଚର ପାଣି ପ୍ରବାହିତ ହେଉଛି । ସେହିପରି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବନ୍ୟା ପାଣି ।

ବ୍ରାହ୍ମଣୀ ଓ କାଣି ନଦୀରେ ବନ୍ୟା ଆସି ଏହି ସବୁ ଅଂଚଳରେ ବନ୍ୟା ପାଣି ପଶି ଯାଇଥିଲା । ଏବେ ବ୍ରାହ୍ମଣୀରେ ପାଣି ଖସୁଥିଲେ ମଧ୍ୟ ଗାଁଗୁଡିକରୁ ପାଣି ଖସିନାହିଁ । ସେପଯେ ବନ୍ୟାଂଚଳ ବୁଲି ଦେଖିଛନ୍ତି ସ୍ଥାନୀୟ ବିଧାୟକ । ସେହିପରି ବୋଟରେ ଯାଇ ବନ୍ୟାଂଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ।