ଲଗାଣ ବର୍ଷା ପରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି : ଖୋର୍ଦ୍ଧାରେ ରାଜୁଆ ନଦୀରେ ବନ୍ୟା, ପାଣିରେ ବୁଡିଲା ୪ ଗାଁ; ସେପଟେ ବାଲେଶ୍ୱର ସୋରରେ ଗାଁରେ ପଶିଲା କେନାଲ ପାଣି

ସ୍କୁଲ କାନ୍ଥ ଭାଂଗି କରାଗଲା ଜଳ ନିଷ୍କାସନ

159

କନକ ବ୍ୟୁରୋ : ଖୋର୍ଧାରେ ପଶିଲା ବନ୍ୟାଜଳ । ଲଗାଣ ବର୍ଷାରେ ରାଜୁଆ ନଦୀ ଫୁଲିବାରୁ ଖୋର୍ଧା ଜିଲ୍ଲାର ୪ଟି ଗାଁ ଏବେ ଜଳବନ୍ଦୀ । ଜିଲ୍ଲାର ଓରବରସିଂ ପଂଚାୟତର ହିରିମୁଳୁ, ରାଇପୁର, ମଶାଣିଆ, କୃଷ୍ଣପୁର ଗାଁ ଏବେ ଜଳବନ୍ଦୀ । ଏହି ସବୁ ଗାଁର ଚତୁପାଶ୍ୱର୍କୁ ଛୁଇଁଛି ବନ୍ୟାପାଣି । ଏହି ଅଂଚଳର ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡି ମାରୁଛି ରାଜୁଆ ନଦୀର ପାଣି । ସେପଟେ ଦିହଖଳା-ହରିମୂଳ ରାସ୍ତା ଉପରେ ପାଣି ଚାଲିବାରୁ ଯାତାୟତ ପାଇଁ ଅସୁବିଧା ଭୋଗୁଛନ୍ତି ଲୋକେ । ପ୍ରତ୍ୟକ ବର୍ଷ ବନ୍ୟା ଆସିଲେ ଏହି ଗାଁ ଗୁଡିକ ବନ୍ୟାରେ ଉବୁଟୁବୁ ହେଉଛି । ସମାନ ଘଟଣା ଚଳିତ ବର୍ଷ ବି ହୋଇଛି । ତେବେ ପ୍ରଥମ କରି ବନ୍ୟା ଜଳ ପଶିବା ପରେ ଚିନ୍ତାରେ ପଡିଲେଣି ଶହ ଶହ ଲୋକ ।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ଓ ମାଣିପୁର ପଂଚାୟତରେ ପଶିଲା ବର୍ଷା ଜଳ । ଫଳରେ ଜନଜୀବନ ବେହାଲ ହୋଇଛି । ମାଣିପୁର ବଜାର ବିଜୁ ମାର୍କେଟରେ ଏବଂ ମାଣିପୁର ଗାଁ ଭିତରେ ପଶିଛି ବର୍ଷା ପାଣି । ଜଳ ନିଷ୍କାସନ ହୋଇପାରୁନଥିବାରୁ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ଗ୍ରାମର ଲୋକେ ପାଣି ନିଷ୍କାସନ ପାଇଁ ମାଣିପୁର ସ୍କୁଲ ପାଚେରୀକୁ ରାତିରେ ଭାଙ୍ଗିବା ପରେ ପାଣି କିଛି ପରିମାଣରେ ନିଷ୍କାସନ ହୋଇଛି । ନୂଆ ଭାବେ ଖୋଳାଯାଉଥିବା କେନାଲରେ ଅଧିକ ପାଣି ଆସିବାରୁ ଏହା ଗାଁରେ ପ୍ରବେଶ କରିଛି । ଯାହାକୁ ନେଇ ଗାଁରେ ଏବେ କୃତ୍ରିମ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି ।