କନକ ବ୍ୟୁରୋ: ବର୍ଷାରେ ବେହାଲ ତାମିଲନାଡୁ । ପାଣିରେ ବୁଡିଲା ସହରଠୁ ଗାଁ । ପ୍ରବଳ ବର୍ଷା ଓ ପବନର ପ୍ରଭାବ ତାମିଲନାଡୁରେ ଦେଖିବାକୁ ମିଳିଛି । ରୋଡ ହେଉ କି ରେଳପଥ ସବୁକିଛି ଜଳମଗ୍ନ । ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବର୍ଷାର ପ୍ରଭାବରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗମନାଗମନ ଏକପ୍ରକାର ଠପ୍ ହୋଇଯାଇଛି । ରାଜଧାନୀ ଚେନ୍ନାଇର ବିଭିନ୍ନ ରାସ୍ତାରେ ପାଣି ଭରି ରହିଥିବାରୁ ଟ୍ରାଫିକ ପୋଲିସ ତରଫରୁ କିଛି ରାସ୍ତାକୁ ବନ୍ଦ କରାଯାଇ ବିକଳ୍ପ ରାସ୍ତାର ବ୍ୟବସ୍ଥା କରାଯାଇଛି । ବସ୍, ଟ୍ରେନ୍ ଯାତ୍ରା ପ୍ରଭାବିତ ହୋଇଛି । ସେହିପରି ସହରରେ ଥିବା ସରକାରୀ ଡାକ୍ତରଖାନାରେ ମଧ୍ୟ ବର୍ଷା ପାଣି ପସିଥିବା ଦେଖିବାକୁ ମିଳିଛି ।
ଭାରି ବର୍ଷା କାରଣରୁ ତାମିଲନାଡୁରେ ୧୪ ଜଣଙ୍କ ଜୀବନ ଯାଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ତାମିଲନାଡୁର ବିଭିନ୍ନ ସ୍ଥାନରେ ରେଡ ଆଲର୍ଟ ଜାରି କରିଛି । ଲୋକମାନଙ୍କ ଘର ପାଣିରେ ବୁଡି ରହିଥିବାବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ବନ୍ୟା ପ୍ରପୀଡିତ ଲୋକଙ୍କୁ ମାଗଣା ଖାଦ୍ୟ ଆମ୍ମା କ୍ୟାଂଟିନରୁ ଯୋଗାଇ ଦିଆଯାଉଛି । ନିଜେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନକୁ ଯାଇ ଖାଦ୍ୟମାନକୁ ତଦାରଖ କରୁଛନ୍ତି । ଏହାସହ ଏମକେ ଷ୍ଟାଲିନ ରାଜ୍ୟର ବିଭିନ୍ନ ଅଧିକାରୀଙ୍କ ସହ ବନ୍ୟା ସ୍ଥିତି ନେଇ ବୈ÷ଠକ କରିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ କିଛି ସ୍ପେସାଲ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭଧିତ ଅସୁବିଧାକୁ ଦୁରେଇବା ପାଇଁ ନିୟୋଜିତ କରିଛନ୍ତି । ଏନଡିଆରଏଫ ଦ୍ୱାରା ଉଦ୍ଧାର କାର୍ଯ୍ୟକୁ ଜୋରଦାର ରଖାଯାଇଛି ।
୨୦୧୫ରେ ତାମିଲନାଡୁରେ ଭୟଙ୍କର ବନ୍ୟା ଦେଖିବାକୁ ମିଳିଥିଲା । ଏହାପରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଜଳବନ୍ଦୀ ସମସ୍ୟା ରାଜ୍ୟରୁ ଦୂର ହୋଇପାରିନାହିଁ । ଯେଉଁଥିପାଇଁ ସାଧାରଣ ଲୋକେ ମଧ୍ୟ ପ୍ରଶ୍ନ କରିବା ଆରମ୍ଭ କରିଦେଲେଣି । ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏହାକୁ ପୂର୍ବ ସରକାର ତଥା ଏଆଇଏଡିଏମକେର ବିଫଳତା କହିଛନ୍ତି । ଦେଖିବାକୁ ବାକି ରହିଲା ତାମିଲନାଡୁରେ ଏମକେ ଷ୍ଟାଲିନଙ୍କ ସରକାର ଜଲବନ୍ଦି ସମସ୍ୟାର ଆଗକୁ କିପରି ମୁକାବିଲା କରୁଛନ୍ତି ।