ବର୍ଷା ଆଣିଲା ବିପତ୍ତି! କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରିରେ ବନ୍ୟା ପରିସ୍ଥିତି, ଧୋଇଗଲା ରାସ୍ତା, ଭାସିଗଲା ଟ୍ରାକ୍ଟର

35

କନକ ବ୍ୟୁରୋ : ଲଘୁଚାପ ବର୍ଷାରେ ଦକ୍ଷିଣ ଓଡିଶାର ହାଲ୍ ବେହାଲ । କୋରାପୁଟ, ଜୟପୁର, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡାରେ ସ୍ଥିତି ସଙ୍ଗୀନ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବଂଶଧାରା । ଅନ୍ୟ ନଦୀରେ ବି ଜଳସ୍ତର ବଢିବାରେ ଲାଗିଛି । ଅନେକ ସ୍ଥାନରେ ଗାଡି, ମୋଟର ଭାସିଯାଇଛି । ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଲଘୁଚାପ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷାର ବିଭୀଷିକା । ଗାଁ ଭିତରେ ପ୍ରବାହିତ ହେଉଛି ପ୍ରଖର ସ୍ରୋତ । ଆଉ ସେହି ସ୍ରୋତରେ ବୁଡି ରହିଛି ମନ୍ଦିର । ଲଗାଣ ବର୍ଷା ପରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଜଳେଶ୍ୱର ମନ୍ଦିର ନିକଟରେ ଛୁଟିଛି ବନ୍ୟା ଜଳର ସୁଅ । ଏବେବି ମନ୍ଦିରକୁ ଘେରି ରହିଛି ବନ୍ୟା ପାଣି । ରାସ୍ତାଘାଟରେ ଆଂଠୁଏ ଉଚର ପାଣି । ବୁଡି ରହିଛି ଘରଦ୍ୱାର । ଲୋକେ ଜଳବନ୍ଦୀ । ଦିନକର ଲଗାଣ ବର୍ଷାରେ ଧୋଇଯାଇଛି ବ୍ରିଜ୍ । ବିଚ୍ଛିନ୍ନ ହୋଇଯାଇଛି ଗାଁ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଇନ୍ଦ୍ରାବତୀ । ହାତୀ ବ୍ୟାରେଜର ୫ଟି ଗେଟ୍ ଖୋଲା ଯାଇଛି । ଫଳରେ ତଳିଆ ଅଂଚଳରେ ବନ୍ୟା ପାଣି ପଶିଯାଇଛି । ଥୁଆମୂଳ ରାମପୁର ଓ କଲମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଲଗାଣ ବର୍ଷାରେ ଉବୁଟୁବୁ ଦକ୍ଷିଣ ଓଡିଶା । ସବୁଠୁ ଅଧିକ ପ୍ରଭାବିତ ହୋଇଛି କୋରାପୁଟ ଓ ଜୟପୁର । ଜାତୀୟ ରାଜପଥରେ ଚାଲିଛି ୪ ଫୁଟର ପାଣି । ଆଉ ସେହି ପାଣିରେ ବୁଡି ଯାଇଛି ଟ୍ରାକ୍ଟର । ସିଙ୍ଗାରୀ ନଦୀରେ ଆସିଥିବା ବନ୍ୟାଜଳରେ ବ୍ରିଜ୍ ଉପରୁ ନଦୀକୁ ଖସିପଡିଥିଲା ଟ୍ରାକ୍ଟରଟି । ଏଥିରେ ଥିବା ଦୁଇ ଜଣ ବଂଚିଯାଇଥିବା ବେଳେ ନଇରେ ଭାସିଯାଇଛି ଟ୍ରାକ୍ଟର ।ଏପରିକି ମୂଷଳ ଧାରାରେ ବର୍ଷାରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ସେବା । ଟ୍ରାକ୍ ଉପରେ ମାଟି ଅତଡା ଖସିପଡିଛି । ରେଳ ଧାରଣା ଉପରେ ୩ ଫୁଟର ପାଣି ଚାଲିଛି । ଫଳରେ ଟିଟଲାଗଡରୁ ରାୟଗଡା ଏବଂ ରାୟଗଡାରୁ କୋରାପୁଟକୁ ଯାଉଥିବା ସମସ୍ତ ଟ୍ରେନ୍ ବାତିଲ କରାଯାଇଛି । ଷ୍ଟେସନରେ ଅଟକିରହିଛି ଅଧିକାଂଶ ଟ୍ରେନ୍ । ।

ଏପଟେ ମାଲକାନଗିରିରେ ହାଲ୍ ବେହାଲ କରିଛି ଲଘୁଚାପ ବର୍ଷା । ୨୪ ଘଂଟାର ବର୍ଷାରେ ଫୁଲିଉଠିଛି ସପ୍ତଧାରା ନଦୀ । ଗୋବିନ୍ଦପାଲି ଘାଟି ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ପାଙ୍ଗାମ ପୋଲ ଉପରେ ବି ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଫଳରେ ମାଲକାନଗିରି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । କାର୍ଲାପାଟ ପୋଲ ଉପରେ ୪ ଫୁଟର ପାଣି ଚାଲୁଥିବାରୁ ମାଲକାନଗିରି-ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ନବରଙ୍ଗପୁରରେ ଲଗାଣ ବର୍ଷା ସୃଷ୍ଟି କରିଛି ବନ୍ୟା ସ୍ଥିତି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ୍ ବାଙ୍ଗିରି ବ୍ରିଜ୍ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଅନ୍ୟପଟେ ରାୟଗଡାର ଅମ୍ବାଦଳାରେ ବଂଶଧାରା ବ୍ରିଜ ଉପରେ ମଧ୍ୟ ୫ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି । ଫଳରେ ଠପ୍ ହୋଇଯାଇଛି ଯାତାୟତ । ରାୟଗଡ଼ା-ଭବାନୀପାଟଣାକୁ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି ।