କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜିଲ୍ଲାରେ ଜନଜୀବନ ଦୁର୍ବିସହ ହୋଇପଡିଛି। ବିଶେଷ କରି ରେଶମ ନଗରୀ ବ୍ରହ୍ମପୁର ସ୍ଥିତି ବେହାଲ ହୋଇଯାଇଛି। ବ୍ରହ୍ମପୁର-ଆସିକା ଜାତୀୟ ରାଜପଥ ୫୯ ଉପରେ ୬ଟି ସ୍ଥାନରେ ବର୍ଷା ଜଳ ଲହଡ଼ି ଖେଳୁଛି। ପୋଚିଲିମାଠାରେ ଜାତୀୟ ରାଜପଥ ଉପରେ ୩ରୁ ୪ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।
ଗୋପାଳପୁର ଡପଲର ରାଡାରର ବୈଜ୍ଞାନିକ ଉମାଶଙ୍କର ସାହୁ କହିଛନ୍ତି, ଲଘୁଚାପ ପ୍ରଭାବରେ ଆହୁରି ୪୮ଘଣ୍ଟା ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲାରେ ରେଡ୍ ଏବ˚ ଦକ୍ଷିଣ ଓଡ଼ିଶାର ଅନ୍ୟ ସମସ୍ତ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ମାରିବାକୁ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି। ଲଘୁଚାପ ପ୍ରଭାବରେ ଗୋପାଳପୁରଠାରେ ସମୁଦ୍ର ଅଶାନ୍ତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁର ସହରରେ ୧୦୮ ମିମି ବର୍ଷା ହୋଇଥିବା ରେକର୍ଡ଼ ହୋଇଛି।
ବର୍ଷା ଲାଗି ରହିଥିବାବେଳେ ବ୍ରହ୍ମପୁର ସହରରେ ରେକର୍ଡ ବର୍ଷା ହୋଇଥିବା କୁହାଯାଉଛି। ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ସହରର ଗଜପତି ନଗର ଅଞ୍ଚଳରେ ପାଣି ଜମି ରହିବା ସହିତ ଲୋକଙ୍କ ଘରେ ପାଣି ପଶିଛି। ଅନନ୍ତନଗର, ନୀଳାଦ୍ରିବିହାର, ଲକ୍ଷ୍ମୀନୃସି˚ହ ସାହି, ଗାନ୍ଧୀ ନଗର, ଆଙ୍କୁଲି ଓ ଲାଞ୍ଜିପଲ୍ଲୀ ଆଦି ଇଲାକାରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମି ରହିଛି। ଡି ପଲ ସ୍କୁଲ ନିକଟରେ ବର୍ଷା ପାଣିର ସୁଅ ବୋହୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/RAIN-2.jpg)