ବୁଡାଇଦେଲା ଲଘୁଚାପ ବର୍ଷା । ଘର ଭିତରେ ଲହଡି ମାରୁଛି ପାଣି, ପୋଖରୀ ବନିଲା ଗାଁଦାଣ୍ଡ ।

219

କନକ ବ୍ୟୁରୋ : ବୁଡାଇ ଦେଇଛି ଲଘୁଚାପ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇଛନ୍ତି ବହୁ ସଂଖ୍ୟାରେ ଲୋକ । କେଉଁଠି ଘର ଭିତରେ ପାଣି ପଶି ଯାଇଛି ତ ଆଉ କେଉଁଠି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି । କେତେକ ସ୍ଥାନରେ ରାସ୍ତା ଉପରେ ପ୍ରଖର ସ୍ରୋତରେ ପାଣି ଚାଲୁଛି । ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ପୁରୀ ଜିଲ୍ଲା କଣାସ ଅଂଚଳର ଏକ ଗାଁର ସ୍ଥିତି ବୟାନ କରୁଛି ଅତ୍ୟଧିକ ଲଘୁଚାପ ବର୍ଷା କେତେ ଭୟଙ୍କର ହୋଇପାରେ । ଗାଁଦାଣ୍ଡରେ ଅଣ୍ଟାଏ ଅଣ୍ଟାଏ ପାଣି, ଘର ଭିତରେ ବି ଲହଡି ମାରୁଛି ପାଣି । ମଲାଗୁଣି ନଇକୁ ସଂଯୋଗ କରୁଥିବା ଓଇଖିଆ ନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହେବା ପରେ ଏହି ଅବସ୍ଥା ସୃଷ୍ଟି ହୋଇଛି ।
ହଳଦୀ ପଦର, ତଇଲା, ଅଭୟପୁର, ବରଗଡ଼, ବାରମାଣ, ତୋଟପଡ଼ା ଗାଁ ଏବେ ପାଣି ଘେରରେ ।

ସେପଟେ ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ । ଆଣ୍ଠୁଏ ପାଣି ଭିତରେ ସମସ୍ତଙ୍କ ଚିନ୍ତା ପିଇବା ପାଣି ପାଇବେ କେମିତି । ସେଥିପାଇଁ ଦୂର ଜାଗାକୁ ଯାଇ ପାନୀୟ ଜଳ ସଂଗ୍ରହ କରୁଛନ୍ତି । ରାମିଆଳ ଓ ତାର ଶାଖାନଦୀରେ ବନ୍ୟା ସ୍ଥିତି ପାଇଁ ଭୁବନ ବ୍ଲକର ୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଜୟପୁର, ମାଳପୁରା ଓ ଦଧିସିଂଗା ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି । ସେପଟେ ଭୁବନ ଜୟପୁରରେ ବି ସମାନ ସ୍ଥିତି । ପାଣି ଘେରରେ ଫସିରହିଛନ୍ତି ପ୍ରାୟ ୨ହଜାର ଲୋକ ।

ଆଠଗଡରେ ମଧ୍ୟ ଚାରିଆଡେ ପାଣି ଆଉ ପାଣି । ଗୋପୀନାଥପୁର ଠାରେ କଂଟିଆ ନଇରେ ବଢି ପାଣି ଆସିବାରୁ ଏହି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବାଇଲୋ ଓ ନୂଆଗାଁ ଶବରସାହି ରାସ୍ତା ଉପରେ ୪ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି । ଲୋକେ ଛାତ ଉପରେ ଏବଂ ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଏଥିସହ ଜଳମଗ୍ନ ହୋଇପଡ଼ିଛି ଶହ ଶହ ଏକର ଚାଷ ଜମି । ଘର ଭିତରେ ପାଣି ପଶିଯିବାରୁ ଲୋକେ ଛାତ ଉପରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି ।

ପାଣିରେ ବୁଡିଲା ଉଦଳା । ପୋଖରୀ ବନିଲା ଗାଁଦାଣ୍ଡ । ଲଘୁଚାପ ବର୍ଷାରେ ମୟୁରଭଂଜ ଉଦଳା ଅଂଚଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି କପ୍ତିପଦା ଉପଖଣ୍ଡରେ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ବ୍ଳକର ଭୀମତାଳି ପଂଚାୟତ, ଜାଲଦା ଏବଂ ମଦନାପାଳ ଅଂଚଳ ପ୍ରଭାବିତ ହୋଇଛି । ଏଥିସହ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଲୋକଙ୍କ ଘର ଭିତରେ ପଶିଯାଇଛି ପାଣି । ଲୋକେ ସେମାନଙ୍କ ଆସବାବପତ୍ର ଧରି ଘର ଛାଡ଼ୁଥିବାର ଚିତ୍ର ଦେଖିବାକୁ ମିଳିଛି । ସୋନ ନଦୀରେ ଜଳସ୍ତର ବୃଦ୍ଧି କାରଣରୁ କପ୍ତିପଦା-ଔପଦା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ କରଂଜିଆରେ ବି ଲଗାତାର ବର୍ଷା ପାଇଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦେଓ ନଦୀବନ୍ଧରେ ଜଳସ୍ଥର ବୃଦ୍ଧି ପାଉଥିବାରୁ ନିକଟସ୍ଥ ସ୍କୁଲ ଗୁଡିକରେ ବି ପାଣି ପଶିଯାଇଛି ।