କନକ ବ୍ୟୁରୋ : ପାକିସ୍ତାନରେ ବନ୍ୟା ରଚିଛି ତାଣ୍ଡବ ଲୀଳା । ଗୋଳିଆ ପାଣିର ପ୍ରଖର ଶ୍ରୋତରେ ଘର ଦ୍ୱାର ସବୁ ଭାସିଯାଇଛି । ଗାଁକୁ ଗାଁ ଯୋଡୁଥିବା ରାସ୍ତା ପାଣିରେ ଉଭେଇଯାଇଛି । ଭୟଙ୍କର ବନ୍ୟାରେ ଶହ ଶହ ଜୀବନ ଚାଲିଯାଇଛି । ଅନେକ ଲୋକ ପାଣି ଘେରରେ ଫସିରହିଛନ୍ତି । ଆଉ ଅନେକ ବାସହରା ହୋଇ ଖାଇବାକୁ ନପାଇ ଭୋକ ବିକଳରେ ଡହଳବିକଳ ହେଉଛନ୍ତି । ଆଉ ଏହି ଭୟଙ୍କର ପରିସ୍ଥିତି ମଧ୍ୟରେ ଅସହାୟଙ୍କୁ ସାହା ହୋଇ ମାନବିକତା ଦେଖାଇଛନ୍ତି ପାକିସ୍ତାନରେ ବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକ ।
ପାକିସ୍ତାନରେ ଆସିଥିବା ବନ୍ୟା ୧୨ଶହରୁ ଅଧିକ ଜୀବନ ନେଲାଣି । ଛୋଟ ଛୋଟ ଗାଁ ପାଣିରେ ସମ୍ପୁର୍ଣ୍ଣ ଲୀନ ହୋଇଯାଇଛି । ଆଉ ବନ୍ୟାର ଏଭଳି ଭୟଙ୍କର ରୂପ ଦେଖି ବାଲୁଚିସ୍ତାନରେ ଥିବା ହିନ୍ଦୁ ସମ୍ପ୍ରଦାୟର ଲୋକ ବାବା ମଧୁଦାସ ମନ୍ଦିରର ଦ୍ୱାର ଖୋଲିଦେଇଛନ୍ତି । ବନ୍ୟା ପୀଡିତଙ୍କୁ ଆଶ୍ରୟ ଦେଇଛନ୍ତି । ଆଶ୍ରୟ ନେଇଥିବା ପୀଡିତଙ୍କ ମଧ୍ୟରେ କିଛି ଗର୍ଭବତୀ ମହିଳା ମଧ୍ୟ ରହିଛନ୍ତି । ଲୋକଙ୍କ ଖାଇବା ପିଇବା କଥା ବୁଝିବା ସହିତ, ଗର୍ଭବତୀଙ୍କ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଇଛନ୍ତି । ଜାତି, ଧର୍ମ, ବାଛ ବିଚାର ସବୁକୁ ଭୁଲି ସାରା ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଇଛନ୍ତି । ଯେଉଁଠି ପ୍ରଶାସନ ବନ୍ୟା ପୀଡିତଙ୍କ ପରିସ୍ଥିତି ଦେଖି ବି ନିରବଦ୍ରଷ୍ଟା ସାଜିଛି, ସେଠି ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ହିନ୍ଦୁ ସମ୍ପ୍ରଦାୟର ଲୋକ ।
ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ୬ଲକ୍ଷ ୫୦ ହଜାରରୁ ଅଧିକ ଲୋକ ବନ୍ୟାରେ ଭୟଙ୍କର ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ପ୍ରାୟ ୭୩ ହଜାର ମହିଳା ଗର୍ଭବତୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆସନ୍ନ ପ୍ରସବା ଅଛନ୍ତି । ଆଉ ବର୍ତ୍ତମାନ ଏହି ଗର୍ଭବତୀଙ୍କ ଚିକିତ୍ସା ଏବଂ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ତ୍ତମାନ ପାକିସ୍ତାନରେ ବନ୍ୟାର ସ୍ଥିତିରେ କୌଣସି ସୁଧାର ଆସିବ ନାହିଁ । ଆଗକୁ ଏହି ବନ୍ୟା ସ୍ଥିତି ଆହୁରି ଭୟଙ୍କର ହେବ । ପରିସ୍ଥିତି ଏପରି ହେବ ଯେ, ଲୋକେ ସର୍ବହରା ହୋଇ ବିନା କୌଣସି ସାଧନରେ ଖୋଲା ଆକାଶ ତଳେ ବଞ୍ଚିବାକୁ ସଂଘର୍ଷ କରିବେ । ତେବେ ବର୍ତ୍ତମାନ ଦେଶର ଅଧା ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଆଗକୁ ଯଦି ସରକାର ଏଦିଗରେ କୌଣସି ପଦକ୍ଷେପ ନନିଅନ୍ତି ତାହେଲେ ଏହି ଭୟଙ୍କର ବନ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଯିବ, ଏଥିରେ କୌଣସି ସନ୍ଦେହ ନାହିଁ

Advertisment