ଓଡ଼ିଶାକୁ ଘାରିଛି ବନ୍ୟା ଭୟ ! ବିପଦ ସଂକେତ ଉପରେ ବୈତରଣୀ ଓ ସୁବର୍ଣ୍ଣରେଖା, ଉଛୁଳୁଛି ବୁଢ଼ାବଳଙ୍ଗ, ଜଳକା

42

କନକ ବ୍ୟୁରୋ: ପୁଣି ଓଡ଼ିଶାକୁ ଘାରିଛି ବନ୍ୟା ଭୟ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ଓ ସୁବର୍ଣ୍ଣରେଖା । ଉଛୁଳୁଛି ଜଳକା ଏବଂ ବୁଢ଼ାବଳଙ୍ଗ ନଦୀ । ଫଳରେ ରାଜ୍ୟରେ ୪ଟି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଉପୁଜୁଛି ବନ୍ୟା ପରିସ୍ଥିତି । ବାଲେଶ୍ୱର ଜିଲ୍ଲାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳକା ଏବଂ ବୁଢ଼ାବଳଙ୍ଗ । ଜାମଶୋଳା ଏବଂ ରାଜଘାଟରେ ବଢ଼ିଛି ଜଳସ୍ତର । ଜଳକା ଏବଂ ବୁଢ଼ାବଳଙ୍ଗ ନଦୀ ବି ବିଭିନ୍ନ ସ୍ଥାନରେ କୂଳ ଲଙ୍ଘିଛି । ଫଳରେ ବାଲିଆପାଳ ବ୍ଲକର ବହୁ ଗାଁରେ ଏବେ ପାଣି ଘେରରେ ରହିଛି ।

ସେହିପରି ବୈତରଣୀ ନଦୀର ପ୍ରଖର ଜଳସ୍ରୋତ ଭଦ୍ରକ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି । ବଢିଲା ନଈ ଲୋକଙ୍କ ନିଜ ହଜାଇଦେଇଛି । ଉଛୁଳୁଛି ନଦୀ, କୂଳ ଲଙ୍ଘୁଛି ବନ୍ୟାଜଳ । ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବୈତରଣୀର ବନ୍ୟାଜଳ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ପଶିଛି । ଭଣ୍ଡାରୀପୋଖରୀର ୬ଟି ପଂଚାୟତର ୨୦ଟି ଗାଁ ପାଣି ଘେରରେ ଥିବା ବେଳେ ହାଟଡିହି ବ୍ଲକର ୩ଟି ପଂଚାୟତର ୫ଟି ଗାଁ ଜଳମଗ୍ନ ହୋଇଛି । ଧାମନଗରର ୧୪ଟି ପଂଚାୟତର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ବୈତରଣୀରେ ବନ୍ୟା ଆସି ଯାଜପୁର ଜିଲ୍ଲାର ୨୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ଯାଜପୁର, ଦଶରଥପୁର ଏବଂ କୋରାଇ ବ୍ଲକ୍ର ବିଭିନ୍ନ ଗାଁରେ ପଶିଛି ବନ୍ୟାପାଣି । କେନ୍ଦୁଝରରେ ମଧ୍ୟ ବନ୍ୟାଜଳ ପଶିଛି । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ୪ଟି ଜିଲ୍ଲାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ନେଇ ପ୍ରସ୍ତୁତ ରହିଛି ପ୍ରଶାସନ । ପାଣି ଘେରରେ ଥିବା ଲୋକଙ୍କ ଉଦ୍ଧାର ପାଇଁ ବନ୍ୟା ପ୍ରଭାବିତ ଅଂଚଳରେ ନିୟୋଜିତ ଅଛନ୍ତି ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ । ତେବେ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ।