ବନ୍ୟା ଏମିତି ତାଣ୍ଡବ ରଚିଛି, ଲୋକଙ୍କ ଦୁର୍ଦ୍ଦଶା ଦେଖିଲେ ଆଖିରେ ଲୁହ ଆସିଯିବ । ଦେଖନ୍ତୁ ରାଜ୍ୟରେ ବିଭିନ୍ନ ଅଂଚଳରେ କେମିତି ରହିଛି ବନ୍ୟାର ପ୍ରଭାବ ।

229

କନକ ବ୍ୟୁରୋ: ଅନ୍ଧାର ରାତିରେ ଜୀବନ ବଂଚାଇବା ପାଇଁ ଆକୁଳ ନିବେଦନ କରୁଛନ୍ତି ପରିବାର ମୁରବୀ । ସାଥୀରେ ବୃଦ୍ଧ ବାପା ଏବଂ କୁନି କୁନି ପିଲା । ବନ୍ୟା ପାଣି ମାଡ଼ି ଆସିବାରୁ ପୁରା ଏବେ ପରିବାର ଜଳବନ୍ଦୀ । ମୁକ୍ତି ପାଇବାର ବାଟ ଯେତେବେଳେ ବନ୍ଦ ହୋଇ ଯାଇଛି, ବାଧ୍ୟ ହୋଇ ପ୍ରଶାସନକୁ ଉଦ୍ଧାର କରିଛନ୍ତି । ବରି ବ୍ଲକର ଠାକୁରପାଟଣାରେ ଘର ଛାତ ଉପରେ ଫସିରହିଛନ୍ତି ୧୫ ଜଣ । ଏପଟେ ରାତିର ଅନ୍ଧାରରେ କେମିତି ଚାଲିଛି ଉଦ୍ଧାର କାର୍ଯ୍ୟ, ତାର ଚିତ୍ର ଆସିଛି ଯାଜପୁର ଜିଲ୍ଲା ରସୁଲପୁର ଅଂଚଳରୁ । ପାଣି ଭିତରେ ଟର୍ଚ୍ଚ ଲାଇଟ୍ ମାରି ଜଳବନ୍ଦୀରେ ଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ଓଡ୍ରାଫ୍ ଟିମ୍ ସଦସ୍ୟ ।

(ଧାମନଗର) ଆଉ ଏହି ଚିତ୍ର ହୃଦୟବିଦାରକ । ବିସ୍କୁଟ ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ ଧାମନଗର ବ୍ଲକ୍ ଦକ୍ଷିଣକରୁଆଁ ଗାଁର ହେମନ୍ତ ଜେନା ଓ ତାଙ୍କର ୨ ସାଙ୍ଗ । ଯିବା ବାଟରେ ବନ୍ୟା ପାଣିରେ ଭାସି ଯାଇଥିଲେ ୩ ଜଣ ଯାକ ସାଙ୍ଗ । ୨ ଜଣ ସାଙ୍ଗ ପାଣି ସୁଅରେ ଗଛକୁ ଜାବୁଡି ଧରି ବଂଚି ଯାଇଥିବା ବେଳେ ହେମନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

(ଭଦ୍ରକ) ବନ୍ୟା ଘେରରେ ରହି ଯନ୍ତ୍ରଣାରେ ଛଟପଟ ହେଉଥିଲେ ଜଣେ ଗର୍ଭବତୀ ମହିଳା । ଦେବଦୂତ ସାଜି ପହଁଚିଥିଲେ ଅଗ୍ନିଶମ ବାହିନୀ । ଉଦ୍ଧାର କରି ଆଂବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନାକୁ ପଠାଇଛନ୍ତି । ବନ୍ୟା ଭିତରେ ଜୀବନ ଯନ୍ତ୍ରଣାର ଏପରି ଦୃଶ୍ୟ ଆସିଛି ଭଦ୍ରକ ଜିଲ୍ଲା ଗୋଠିଣା ଗାଁରୁ । ପୁରା ଗାଁ ଏବେ ବନ୍ୟାରେ ବୁଡି ରହିଛି ।

(ବାଙ୍କୀ) ବାଙ୍କିରେ ଧସିଲା ମହାନଦୀ ବନ୍ଧ । ଗୟଳବାଙ୍କ ଠାରେ ମହାନଦୀ ବନ୍ଧରେ ୧୫ ଫୁଟରୁ ଅଧିକ ଓସାରର ଘାଇ ହୋଇଛି । ଧୀରେ ଧୀରେ ଘାଇ ବଢିବାରେ ଲାଗିଛି । ଯାହା ଫଳରେ ଦିଲ୍ଲୀପଡା ପଂଚାୟତ, ତାଳବସ୍ତ, ସୁବର୍ଣ୍ଣସର, ଓସ୍ତିଆ ପଂଚାୟତରେ ପାଣି ପଶିଛି । ଏହାକୁ ନେଇ ଚିନ୍ତାରେ ତଳିଆ ଅଂଚଳ ଲୋକେ ।

(ବଡ଼ମ୍ବା) ବନ୍ୟା ପାଣି ଘେରରେ ବଡମ୍ୱାରେ ମହାନଦୀ କୂଳରେ ଥିବା ମାଆ ଭଟ୍ଟାରିକାଙ୍କ ମନ୍ଦିର । ମନ୍ଦିର ଚାରିପଟେ ୧୦ ଫୁଟରେ ଚାଲୁଛି ବନ୍ୟା ପାଣି । ଏହାରି ଭିତରେ ବୁଡି ରହିଛି ମନ୍ଦିର । ଆକାଶ ମାର୍ଗରୁ ଆସିଥିବା ଏହି ଚିତ୍ର ହିଁ ବୟାନ କରୁଛି ସେଠି କେଉଁ ଭଳି ସ୍ଥିତି ରହିଛି । ମନ୍ଦିରରେ ପାଣି ପଶିବା ଯୋଗୁଁ ମାଆଙ୍କୁ ମନ୍ଦିରରୁ ବାହାର କରି ଅସ୍ଥାୟୀ ମନ୍ଦିରରେ ରଖି ପୂଜା କରାଯାଉଛି ।

(ସମ୍ବଲପୁର) ସମ୍ବଲପୁର ଚିପିଲିମାରେ ଥିବା ମା ଘଂଟେଶ୍ୱରୀଙ୍କ ପୀଠ ମଧ୍ୟ ବୁଡି ଯାଇଛି । ପୀଠର ଯୁଆଡକୁ ଆଖି ବୁଲାଇବେ ଖାଲି ପାଣି ଆଉ ପଣି । ମାଆଙ୍କ ମନ୍ଦିର ଭିତରେ ପାଣି ପଶିଯାଇ ଥିବା ବେଳେ ମନ୍ଦିରର ଅଧା କାନ୍ଥ ପାଣିରେ ବୁଡି ରହିଛି ।

(ବଲାଙ୍ଗୀର) ବଲାଙ୍ଗୀର ହରିଶଙ୍କରର ପୀଠରେ ସ୍ଥିତି ଏଭଳି ହୋଇଛି ଯେ, କେଉଁଠି ରାସ୍ତା କେଉଁଠି ଝରଣା କିଛି ଜଣାପଡୁନାହିଁ ।

ପ୍ରବଳ ବର୍ଷାରେ ଭୟଙ୍କର ପାଣିର ସୁଅ । ପାହାଡ ଉପରୁ ମନ୍ଦିର ପାହାଚ ଦେଇ ଖିପ୍ରବେଗରେ ବହୁଛି ଜଳସ୍ରୋତ । ଗନ୍ଧମାର୍ଦ୍ଧନର ପାହାଡ ଆରପଟେ ଥିବା ନୃସିଂହନାଥରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।