ଓଡିଶାରେ ବର୍ଷା: ବୁଡାଉଛି, ଭସାଉଛି… ଲଗାଣ ବର୍ଷାରେ ବେହାଲ ଓଡିଶା । ପାଣି ସୁଅରେ ଭାସିଗଲା ମିନି ଟ୍ରକ, ଆନନ୍ଦପୁରରେ ବୁଡିଲା କାର, ଡ୍ରାଇଭରଙ୍କ ମୃତ୍ୟୁ । ବାରିପଦାରେ ପାଣି ମାଡରେ ଭୁଶୁଡିଗଲା କୋଠା ଘର । ଆରଡିରେ ଆଖଣ୍ଡଳମଣୀଙ୍କ ମନ୍ଦିରରେ ପଶିଲା ପାଣି… ଲଗାଣ ବର୍ଷାରେ ସାରା ରାଜ୍ୟରୁ ଆସିଲା ବର୍ଷା ବିତ୍ପାତର ଭୟଙ୍କର ଦୃଶ୍ୟ…

649

କନକ ବ୍ୟୁରୋ: ଲଘୁଚାପ ଜନିତ ବର୍ଷା ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ପାଣିର ସ୍ରୋତରେ କାର ଭାସିଯାଇଛି ତ ଆଉ କେଉଁଠି ଟ୍ରକ ଭାସି ଯାଇଛି । ଖାଲି ସେତିକି ନୁହେଁ କୋଠାଘର ଭୁଶୁଡି ଛାରଖାର ହୋଇଯାଇଛି । ଆରଡି ଆଖଣ୍ଡଳମଣି ମନ୍ଦିରରେ ପାଣି ପଶିଯାଇଛି । ରାସ୍ତା ଭାଙ୍ଗିବା ସହିତ ଲୋକଙ୍କ ଘର ଭାଙ୍ଗିଯାଇଛି । ବର୍ଷାର ବିତ୍ପାତ ପାଇଁ ଜୀବନ ଯାତ୍ରା ଏକଦମ ଠପ ହୋଇଯାଇଛି ।

ଭାସିଗଲା ମିନି ଟ୍ରକ
କେନ୍ଦୁଝର ପାଟଣା ଥାନା ସ୍ୱାମନାଳ ନିକଟରେ ଥିବା ନିର୍ମାଣଧୀନ ଓଭରବ୍ରିଜର । ବର୍ଷା ପାଣିରେ ଭାସିଗଲା ମିନି ଟ୍ରକ । ଲୋକଙ୍କ ବାରଣ ସତ୍ୱେ ଗାଡି ଚଲାଇ ପାଣିର ପ୍ରଖର ସ୍ରୋତରେ ନିୟନ୍ତ୍ରଣ ହରାଇଥିଲେ ଡ୍ରାଇଭର । ନଦୀଗର୍ଭକୁ ଖସିପଡିଥିବା ମିନି ଟ୍ରକଟି ଭାସିଗଲା । ଡ୍ରାଇଭରକୁ ଉଦ୍ଧାର କଲେ ଲୋକେ ।
କରଞ୍ଜିଆରେ ଡାଇଭର୍ସନ ତଳକୁ ଖସି ଭାସିଗଲା ୧୨ ଚକିଆ ଟ୍ରକ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି ।

ଡୁବିଗଲା କାର
ଆନନ୍ଦପୁରରେ ପାଣି ଭିତରେ ବୁଡିଗଲା କାର । ଗଛରେ ଝୁଲିଲା ଡ୍ରାଇଭରଙ୍କ ମୃତଦେହ । ଗାଡି ବୁଡିବୟାନ କରୁଛି ବର୍ଷାର ତାଣ୍ଡବ । ଆନନ୍ଦପୁର ବ୍ଲକ ଜଞ୍ଜାଳୀ ଗାଁ ନିକଟରେ ଘୋଷରା ନାଳ ପାରହେଉଥିବା ବେଳେ ପାଣିସୁଅରେ ଭାସିଯାଇଥିଲା ଗାଡି ।

ଭୁଷୁଡ଼ିଲା ଘର
ଛାତି ଥରେଇବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦାରେ । ଲଗାଣ ବର୍ଷାରେ କୋଠା ଘର ଭୂଷୁଡି ଧୁଳିସାତ । କୋଠାଟି ଭୁଶୁଡିବା ଅବସ୍ଥାକୁ ଆସିବା ବେଳକୁ ଘରେ ଥିବା ଲୋକମାନେ ବାହାରକୁ ଦୌଡି ପଳାଇଆସିଥିଲେ । ଏହାର କିଛି ସମୟରେ କୋଠାଟି ଭୁଶୁଡିପଡିଥିଲା ।

ଭାସିଗଲା ପୋଲ
ପ୍ରବଳ ବର୍ଷାରେ ଭାସିଯାଇଛି ପୋଲ । ପୋଲ ଉପରେ ପାଣି ଚାଲୁଥିବାରୁ ରାସ୍ତାର ଦୁଇ ପଟେ ଅଟକି ରହିଛି ଟ୍ରକ ଓ ବିଭିନ୍ନ ଗାଡି । ଫଳରେ କୋଇଡା ସଂପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ଆରଡି ଗର୍ଭଗୃହରେ ପାଣି
ଭଦ୍ରକ ଆରଡି ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ପାଣି । ପାଣିରେ ବୁଡିଗଲେ ବିଗ୍ରହ । ବର୍ଷା ଯୋଗୁଁ ମନ୍ଦିର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପାଣି ପଶିଯାଇଛି । ବିଳମ୍ବରେ ହେଲା ନୀତିକାନ୍ତି ।

ଭାଙ୍ଗିଗଲା ଘରଦ୍ୱାର
ପାଟକୁରାରେ ଭାଙ୍ଗିଲା ଘରଦ୍ୱାର । ବିଲ ବାଡ଼ି ଘର ଦ୍ୱାର ଚାରିଆଡେ ପାଣି । ଚାଳ ଛପର ଘରେ ପାଣି ପଶିଯିବାରୁ ଘରର କାନ୍ଥ ପଡ଼ିଯାଇଛି । ରୋଷେଇ କରି ଖାଇବା ମଧ୍ୟ ସମ୍ଭବ ହୋଇପାରୁନି । ଗାଁ ଲୋକେ ପମ୍ପସେଟ ଲଗାଇ ପାଣି ବୋହିବାକୁ ଚେଷ୍ଟା କରିଛନ୍ତି ।

ଦୋକାନରେ ପଶିଲା ପାଣି
ସୋରରେ ଗାଁ ଭିତରକୁ ବନ୍ୟା ପାଣି ମାଡିଯାଇଛି । ୧୦ଟି ଦୋକାନରେ ପାଣି ପଶିଯାଇଛି । ଫଳରେ ଦୋକାନରେ ଥିବା ସମସ୍ତ ପ୍ରକାର ଜିନିଷପତ୍ର ନଷ୍ଟ ହୋଇଯାଇଛି । ଚାଷ ଜମିରେ ପାଣି ମାଡିଯିବାରୁ ଫସଲ ବୁଡି ରହିଛି ।