ବର୍ଷା ଆଣିଲା ବନ୍ୟା ! ବରଗଡ଼ରୁ ବୌଦ୍ଧ, ଢ଼େଙ୍କାନାଳରୁ ମାଲକାନଗିରି, ସବୁଠି ବନ୍ୟା ସ୍ଥିତି: ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ, ପାଣିରେ ବୁଡ଼ିଲା ଫସଲ; ଆଜି ବି ୭ ଜିଲ୍ଲାରେ ହୋଇପାରେ ଘଡଘଡ ସହ ବର୍ଷା

202

କନକ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲା ପାଇଁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୨ ଘଂଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ବରଗଡ, ମୟୂରଭଞ୍ଜ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଭୀଷଣ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାଛଡା ଆସନ୍ତା ୧୨ ଘଂଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶା, ଉପକୂଳ ଓଡିଶାର ବିଭିନ୍ନ ଅଂଚଳରେ ବର୍ଷା ହେବାର ଆଶଙ୍କା ରହିଛି ।

ସେହିପରି ଆଜିି ମାଲକାନାଗିରି, କୋରାପୁଟ. ନବରଙ୍ଗପୁର, ଝାସରୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଝାରସୁଗିଡା, ସୁନ୍ଦରଗଡ, ବରଗଡ,ନ୍ତ୍ରେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୧୯ ତାରିଖରେ ବଙ୍ଗୋପ ସାଗରରେ ଆଉଏକ ଲଘୁଚାପ ବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଝାଡଖଣ୍ଡ ଉପରେ ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ବର୍ଷା ସାଙ୍ଗକୁ ଘଂଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ ।

ସେପଟେ, ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ଓଡିଶାର ଅଧାରୁ ଅଧିକ ଅଂଚଳ । ମାଲକାନଗିରିରୁ ଢେଙ୍କାନାଳ ସବୁଠି ବର୍ଷା ପରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀରେ ଜଳସ୍ତର ବିଶେଷ ବଢିନଥିବାରୁ ବର୍ଷା ପାଣି ନଦୀକୁ ନିଷ୍କାସିତ ହୋଇଯାଉଛି । କିନ୍ତୁ ବର୍ଷା ସମୟରେ ପରିସ୍ଥିତି ସଙ୍ଗୀନ ହୋଇଯାଉଛି । ବନ୍ୟା ପରିସ୍ଥିତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଲଲହଡାରେ ବନ୍ୟା ଭଳି ପରିସ୍ଥିତି ଯୋଗୁଁ ରୋଗୀ ପାଖରେ ଆମ୍ବୁଲାନ୍ସ ବି ପହଂଚିପାରିଲା ନାହିଁ ।