ଛାଡୁଛି ପାଣି ବଢୁଛି ଦୁର୍ଦ୍ଦଶା ! ଯାଜପୁର ଓ କେନ୍ଦ୍ରାପଡ଼ାରେ ବନ୍ୟା ବିପନ୍ନଙ୍କ ସ୍ଥିତିରେ ଆସିନି ସୁଧାର

25

କନକ ବ୍ୟୁରୋ: ବ୍ରାହ୍ମଣୀର ବନ୍ୟା ଜଳରେ ଉବୁଟୁବୁ ହେଉଛନ୍ତି ଯାଜପୁରବାସୀ । ନଦୀର ବଢିପାଣିରେ ପ୍ରଭାବିତ ହୋଇଛି ୯ଟି ବ୍ଲକ୍ । ୫୨ଟି ପଂଚାୟତର ୧୧୨ଟି ଗାଁ ଏବେବି ଜଳମଗ୍ନ । ତେବେ ସୁକିନ୍ଦା, କୋରେଇ ଓ ଦାନଗଦୀରେ ବଢି ପାଣି କମିଛି ।

୨ହଜାର ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି । ଦାନଗଦୀ ବ୍ଲକର ୨ଟି ପଂଚାୟତ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ତଳିଆ ଅଂଚଳର ଅନେକ ଗାଁ । ସେପଟେ ଜେନାପୁରଠାରେ ବିପଦସଙ୍କେତରୁ ୪ଫୁଟ ତଳେ ପ୍ରବାହିତ ହେଉଛି ବ୍ରାହ୍ମଣୀ ।

କେନ୍ଦ୍ରାପଡ଼ାରେ ବି ବିପତ୍ତି ଆଣିଛି ବ୍ରାହ୍ମଣୀ । ବଢି ପାଣି ଘେରରେ ରହିଛି ଗାଁ । ରାସ୍ତା, ଘରଦ୍ୱାର ସବୁଠି ବନ୍ୟା ପାଣି । ବାହାରକୁ ବାହାରିବା ପାଇଁ ମଧ୍ୟ ରାସ୍ତା ନାହିଁ । ଚାରିଆଡେ ଖାଲି ପାଣି ଆଉ ପାଣି । ଘେରାବନ୍ଦୀ ହୋଇ ଜୀବନ ବିତାଉଛନ୍ତି ବନ୍ୟା ବିପନ୍ନ । କେନ୍ଦ୍ରାପଡା ଜିଲ୍ଲା ଆଳି ଓ ପଟାମୁଣ୍ଡାଇ ଅବସ୍ଥା ବେହାଲ । ଏବେବି ପାଣି ଘେରରେ ରହିଛି ୧୭ ଟି ପଂଚାୟତର ୮୫ ରୁ ଅଧିକ ଗାଁ ।