ରାଜ୍ୟରେ ବନ୍ୟା ଆଶଙ୍କା, ଫୁଲୁଛି ୧୦ ନଦୀର ଜଳସ୍ତର ।

285

କନକ ବ୍ୟୁରୋ : ରେକର୍ଡ ପରିମାଣର ବର୍ଷା ଯୋଗୁଁ ଶୁଖିଲା ପଡିଥିବା ନଦୀ ଗୁଡିକର ଜଳସ୍ତର ଅଚାନକ ବଢ଼ିବା ଆରମ୍ଭ କରିଛି । ବିଶେଷ କରି ଜଳକା, ବ୍ରାହ୍ମଣୀ, ବୈତରଣୀ, କୁଶଭଦ୍ରା ନଦୀ ଫୁଲିବାରେ ଲାଗିଛି । ଜଳକାର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମହାନଦୀର ଜଳସ୍ତର ବିପଦ ସଙ୍କେତ ଟପି ନଥିଲେ ମଧ୍ୟ ଆଗାମି ଦୁଇଦିନ ପର୍ଯ୍ୟନ୍ତ ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ଦେଖାଦେଇଛି ।

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଫୁଲିବାରେ ଲାଗିଛି । ବିଶେଷକରି ଜଳକା, କୁଶଭଦ୍ରା, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଓ ମହାନଦୀର ଜଳସ୍ତର ବଢିବାରେ ଲାଗିଛି । ଜଳକା ନଦୀରେ ଜଳସ୍ତର ବିପଦ ସଙ୍କେତ ଟପି ଯାଇଛି । ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଅପରାହ୍ନ ୩ଟା ବେଳକୁ ଜଳସ୍ତର ୫.୬୦ ମିଟର ଟପିଯାଇଥିଲା । ଅପରାହ୍ନ ବେଳକୁ ମହାନଦୀର ଜଳସ୍ତର ବଢ଼ିବା ନେଇ ରିପୋର୍ଟ ଆସିଲା । ଅବଶ୍ୟ ବିପଦ ସଙ୍କେତ ଠାରୁ ଜଳସ୍ତର ତଳେ ରହିଛି ।

ନଦୀ                    ସ୍ଥାନ                     ବିପଦ ସଙ୍କେତ                ଅପରାହ୍ନ ୩ଟା
ଜଳକା                ମଥାନୀ                 ୦୫.୫୦ ମିଟର              ୦୫.୬୦ ମିଟର
କୁଶଭଦ୍ରା             ନିମାପଡା              ୧୦.୭୬ ମିଟର                  ୫.୪୬ମି.
ବ୍ରାହ୍ମଣୀ              ପାନପୋଷ             ୧୭୮.୪୨ ଫୁଟ             ୧୭୨.୯୧ଫୁଟ
ବୈତରଣୀ          ଆଖୁଆପଦା            ୧୭.୮୩ ମିଟର               ୧୭.୩୫ ମିଟର
ସୁବର୍ଣ୍ଣରେଖା       ଜାମଶୋଳାଘାଟ       ୪୯.୧୫ଫୁଟ                   ୪୬.୬୦ଫୁଟ
ବଂଶଧାରା           ଗୁଣୁପୁର                ୮୪.୦୦ ମି.                    ୮୧.୬୪ ମି.
ଋଷିକୁଲ୍ୟା          ପୁରୁଷୋତ୍ତମପୁର       ୧୬.୮୩ମି.                    ୧୩.୩୫ମି.
ମହାନଦୀ               ନରାଜ                 ୨୬.୪୧ ମି.                 ୨୨.୪୬ମିଟର

ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ସମ୍ବେଦନଶୀଳ ୨୦ଟି ଜାଗାକୁ ଚିହ୍ନଟ କରାଯାଇଛି । ତେବେ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଥିଲେ ବି ସତର୍କ କରିଛନ୍ତି ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । କହିଛନ୍ତି, ମହାନଦୀର ତଳ ଭାଗରେ ବର୍ଷା ଜାରି ରହିବ । ଦୁଇ ଦିନ ଧରି ମହାନଦୀର ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଫଳରେ ମହାନଦୀର ଉପର ମୁଣ୍ଡରେ ଜଳସ୍ତର ନିଶ୍ଚିତ ବୃଦ୍ଧି ପାଇବ ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗଭୀର ଅବପାତ ବା ଡିପ-ଡିପ୍ରେସନ ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶା ଆଡକୁ ଗତି କରି ଉତ୍ତର ଦିଗରେ ଗତି କରିବ ଏବଂ ଛତିଗଡରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ମହାନଦୀର ତଳମୁଣ୍ଡରେ ବର୍ଷା ଜାରି ରହିଥିବାରୁ ମହାନଦୀ ଜଳସ୍ତର ବଢ଼ିବା ନେଇ ଆଶଙ୍କା ରହିଛି ।