ଲଗାଣ ବର୍ଷାରେ ନଈ ପାଲଟିଲା ଗାଁଦାଣ୍ଡ । ଡଙ୍ଗାରେ ଯିବା ଆସିବା କଲେ ଗାଁ ଲୋକେ, ରାସ୍ତା ଉପରେ ପାଣିରେ ଉବୁଟୁବୁ ହେଲା ଟ୍ରାକ୍ଟର । ମାଲକାନଗିିରିର ୯୩୩ ଗାଁ ପ୍ରଭାବିତ, ଭାଙ୍ଗିଲା ୩୨୧ ଘର ।

550

କନକ ବ୍ୟୁରୋ : କିଛି ଦିନର ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ରାସ୍ତାରେ ଡଙ୍ଗା ଚାଲିଛି । ଘର ଦ୍ୱାର ବୁଡିଯାଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇପଡିଛି । ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ମୋଟୁ ଅଂଚଳରେ ବନ୍ୟା ପରିସ୍ଥିତି ଉତ୍କଟ ହୋଇଛି । ଏଭଳି ସ୍ଥିତିରେ ମାଲକାନଗିରି ଯାଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ।

ଗାଁ ମଝିରେ ଯଦି ଡଙ୍ଗା ଚାଲିବ । ଗାଡ଼ି ଚାଲିବା ରାସ୍ତାରେ ଯଦି ଆହୁଲା ମାରିବାକୁ ପଡ଼ିବ । ସ୍ୱାଭାବିକ୍ ଭାବରେ ପ୍ରଶ୍ନ ଆସିିବ, ଜଳ ଭିତରେ ଜନବସତି ନା ଜନବସତି ଭିତରେ ଜଳ । ହ୍ରଦର ଭ୍ରମ ସୃଷ୍ଟି କରୁଥିବା ଜଳ ପ୍ରଳୟର ଯେଉଁ ଚିତ୍ର ମାଲକାନଗିରି ଜିଲ୍ଳାର ମୋଟୁ ଅଂଚଳରୁ ସାମ୍ନାକୁ ଆସିଛି, ତାହା ଜନଜୀବନକୁ ସଂପୂର୍ଣ୍ଣ ଉଜାଡି ଦେଇଛି ।

ଜଳ ବନ୍ଦୀ ଭିତରେ ଜୀବନ । ଗୋଦାବରୀ ନଦୀର ପଛୁଆ ପାଣି ଯେମିତି ମୋଟୁ ଅଂଚଳ ପାଇଁ ଏବେ ଅଭିଶାପ ପାଲଟି ଯାଇଛି । ମୁଗି ପଏଂଟ ସହ ପୁରୁଣା ମୋଟୁ ଅଂଚଳ ଜଳମଗ୍ନ ଅବସ୍ଥାରେ ରହିଛି । ବନ୍ୟାରେ ମାଲକାନଗିରି ଜିଲ୍ଲାର ୯୩୩ ଗାଁ ପ୍ରଭାବିତ ହୋଇଥିବା ବେଳେ ୩୨୧ଟି ଘର ଭାଙ୍ଗିଯାଇଛି । ଆଉ ୧୯୭୧ ହେକ୍ଟର ଜମିର ଫସଲ ନଷ୍ଟ ହୋଇଯାଇଛି ।

ଆଉ ଏଭଳି ସ୍ଥିତିରେ ମାଲକାନଗିରି ଜିଲ୍ଲାର ବନ୍ୟାଂଚଳ ପରିଦର୍ଶନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ବନ୍ୟାଂଚଳ ପରିଦର୍ଶନ କରିବା ପରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ସହ ଏସଆରସି ମଧ୍ୟ ବନ୍ୟାଂଚଳ ବୁଲି ଦେଖିଛନ୍ତି ।

ଏପଟେ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଉଜୁଡି ଯାଇଛି ହଜାର ହଜାର ହେକ୍ଟର ଫସଲ । ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା, ତରଭା ଓ ବୀରମହାରାଜପୁର ବ୍ଲକରେ ବ୍ୟାପକ ପରିମାଣରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରାପଡା ବଙ୍ଗାଳପୁର ପଂଚାୟତର ଚିତ୍ର ଦେଖିଲେ ଏହା ଚାଷ ଜମି ନା’ କୌଣସି ଜଳାଶୟ ତାହା ଜାଣିବା ମୁସ୍କିଲ ହୋଇପଡୁଛି । ଢ଼େଙ୍କାନାଳ କାମାକ୍ଷାନଗର ବ୍ଲକର ବାଇସିଙ୍ଗା, ବଡସୋଆଳ, ହାଟୁଆରୀ, ଲୋକନାଥପୁର ଶାସନ, ସିଆରିମାଳିଆ ଅଂଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଭୁବନ ବ୍ଲକର ଗଡନୃସିଂହପ୍ରସାଦ, ଜୟପୁର ଆଦି ଗାଁରେ ଧାନ ଫସଲ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ଏପଟେ ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦରେ ଜଳସ୍ତର ବୃଦ୍ଧି ପାଉଥିବାରୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲୁଛନ୍ତି । ଆଉ ତଳିଆ ଅଂଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।