ଫୁଲୁଛି ଗୋଦାବରୀ, ବଢ଼ୁଛି ବିପଦ: ମାଲକାନଗିରିରେ ବନ୍ୟା, ମୋଟୁ ତହସିଲର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ: ସାବେରି ଓ ସିଲେରୁ ନଦୀରୁ ନିଷ୍କାସିତ ହୋଇପାରୁନି ଜଳ

ସେପଟେ ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୯ରେ ସୃଷ୍ଟିହେବ ଆଉଏକ ଲଘୁଚାପ

119

କନକ ବ୍ୟୁରୋ: ଫୁଲୁଛି ଗୋଦାବରୀ, ବଢ଼ୁଛି ବିପଦ । ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଗୋଦାବରୀରେ ଜଳ ସ୍ତର ବୃଦ୍ଧି ପାଇବା ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟା ଆସିଛି ।  ମୋଟୁ ତହସିଲର ବିଭିନ୍ନ ଗାଁ ଜଳମଗ୍ନ ହୋଇ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଓଡିଶାର ଶେଷ ସୀମା ମୁଗି ପଏଂଟ ମଧ୍ୟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ସେପଟେ ଗୋଦାବରୀରେ ଜଳସ୍ତର ଉପରେ ଥିବାରୁୁ ସାବେରି ଓ ସିଲେରୁ ନଦୀରୁ ଜଳ ନିଷ୍କାସିତ ହୋଇପାରୁନି । ଫଳରେ ନଦୀ କୂଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଦାବରୀ ନଦୀରେ ଜଳ ସ୍ତର ୩ ନଂ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଗୋଦାବରୀରେ ୧୬ ଲକ୍ଷ ୮୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

ଅନ୍ୟପଟେ, ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ପକ୍ଷରୁ  ମାଲକାନଗିରି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୨ ଘଂଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ବରଗଡ, ମୟୂରଭଞ୍ଜ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଭୀଷଣ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାଛଡା ଆସନ୍ତା ୧୨ ଘଂଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶା, ଉପକୂଳ ଓଡିଶାର ବିଭିନ୍ନ ଅଂଚଳରେ ବର୍ଷା ହେବାର ଆଶଙ୍କା ରହିଛି ।

ସେହିପରି ଆଜିି ମାଲକାନାଗିରି, କୋରାପୁଟ. ନବରଙ୍ଗପୁର, ଝାସରୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ଝାରସୁଗୁଡା, ସୁନ୍ଦରଗଡ, ବରଗଡ,କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୧୯ ତାରିଖରେ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଝାଡଖଣ୍ଡ ଉପରେ ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ବର୍ଷା ସାଙ୍ଗକୁ ଘଂଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ ।