ପ୍ରବଳ ବର୍ଷାରେ ମାଲକାନଗିରି ବେହାଲ । ବନ୍ୟାରେ ୭୦୦ ଲୋକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

46

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ପ୍ରଭାବରେ ଜିଲ୍ଲାର ପ୍ରତ୍ୟେକ ଭାଗରେ ବର୍ଷା ଆରମ୍ଭ ହୋଇଥିଲା। ଜିଲ୍ଲା ଦେଇ ପ୍ରବାହିତ ପ୍ରମୁଖ ନଦୀ ଗୁଡ଼ିକ ଫୁଲି ଯାଇ ଅନେକ ଅଞ୍ଚଳକୁ ବୁଡ଼ାଇ ଦେଇଛି। କିଛି ଘଣ୍ଟାର ଲଗାଣ ବର୍ଷା ପରେ ବନ୍ୟା ଜଳରେ ଉବୁଟୁବୁ ହେଉଛି ପୂରା ଜିଲ୍ଲା। ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। କାଲିମେଳା ବ୍ଲକର ପଟେରୁ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି। ମାଲକାନଗିରିରୁ ବାଲିମେଳା ଓ କାଲିମେଳା, କାଲିମେଳାରୁ ପଡିଆ ଓ ମୋଟୁ ଅଞ୍ଚଳକୁ ଯୋଗାଯୋଗ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ବହୁ ଗାଁରେ ପାଣି ପଶି ଯିବାରୁ ହଜାରରୁ ଊର୍ଧ୍ୱ ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ରାସ୍ତାଘାଟ ସବୁ ଜଳମଗ୍ନ ହୋଇ ରହିଥିବାରୁ ଦୁର୍ଗମ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରିନାହିଁ। ତେଣୁ ବହୁ ଲୋକ ପାଣି ଘେରରେ ରହିଥିବା ସୂଚନା ମିଳିଛି। ଅସ୍ୱାଭାବିକ ଭାବେ ବାଲିମେଳା ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରୁ କାଲି ସକାଳେ ୪ଟି ଗେଟ୍ ଖୋଲି ବନ୍ୟା ଜଳ ନିଷ୍କାସନ କରାଯାଇଛି।

 

ସେହିପରି ଏମଭି-୧୧ ରାସ୍ତାରେ ୧୦ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେବାରୁ ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ପୋଟେରୁ ନଦୀର ପ୍ରଖୋର ସ୍ରୋତ ଯୋଗୁଁ ପୋଟେରୁ ପୋଲ ଉପରେ ପାଞ୍ଚ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା। ଯାହାଫଳରେ ପୋଲର ଦୁଇ ପଟେ ଶହ ଶହ ଲୋକ ଫସି ରହିଥିଲେ। ମାଲକାନଗିରି ଜିଲ୍ଲା ମହକୁମାରେ ବି ବହୁ ସମୟ ଧରି ବର୍ଷା ଜଳ ନିଷ୍କାସିତ ହୋଇ ନପାରି ଜମି ରହିଥିଲା। ସଂଧ୍ୟା ସୁଦ୍ଧା ବହୁ ଅଞ୍ଚଳକୁ ଯୋଗାଯୋଗ ହୋଇପାରୁ ନଥିବାରୁ କ୍ଷୟକ୍ଷତି ସଂପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ତଥାପି ଶତାଧିକ ଏକର ଚାଷ ଜମି ଏବଂ ଘରେ ପାଣି ପଶି କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି। ସେହିପରି ଘର କାନ୍ଥ ଭୁଶୁଡ଼ି ପଡ଼ିଆରେ ୨ଜଣ ଏବଂ ତାର୍ଲାକୋଟାରେ ୩ଜଣ ଆହତ ହୋଇଛନ୍ତି। ଜାନବାଇ ମେଡିକାଲରେ ବି ପାଣି ପଶିଯିବାରୁ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା।

 

 ଏମଭି-୩ ବିଏସଏଫ କ୍ୟାମ୍ପ ନିକଟସ୍ଥ ଗୋଟିଏ ସାହି ବୁଡ଼ି ଯାଇଛି। ଏମଭି-୨, ଏମଭି-୧୧, ଏମଭି-୩୭, ତାର୍ଲାକୋଟା, ପୋଟେରୁ, ଏମଭି-୯୦, କାଙ୍ଗରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମ, କସିଗାଡ, ସପ୍ତଧାରା ସାବେରୀ, ଉଣ୍ଡୁରୁକୋଣ୍ଡା ଆଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଜିଲ୍ଲାରେ ସ୍ଥିତି ସଂଗିନ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇ ଆଲର୍ଟ ଜାରି କରି ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ସହ ସମସ୍ତ ଅଧିକାରୀଙ୍କୁ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ ସଦର ମହକୁମାରେ ରହିବାକୁ କୁହାଯାଇଛି।