ବର୍ଷା ଯୋଗୁଁ ମହାରାଷ୍ଟ୍ର ଭୟାବହ ପରିସ୍ଥିତି : ପାଣି ଘେରରେ ଗାଁ ଗଣ୍ଡା ଓ ସହର; କୋହ୍ଲାପୁରରେ ଅକ୍ସିଜେନ୍ ସିଲିଣ୍ଡର ସହ ରୋଗୀଙ୍କୁ ଉଦ୍ଧାର କଲା ଏସଡିଆରଏଫ ଟିମ୍

118

କନକ ବ୍ୟୁରୋ : ମହାରାଷ୍ଟ୍ରରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ପରେ ବିଭିନ୍ନ ଜିଲ୍ଲାରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡେ ବର୍ଷା ପାଣି ଲହଡି ମାରୁଛି । ଗାଁ ଗଣ୍ଡା ଓ ସହର ସବୁ ପାଣି ଘେରରେ ରହିଛି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରୁ ୨୫୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଉଦ୍ଧାର କାମରେ ଏସଡିଆରଏଫ ସମେତ ଭାରତୀୟ ନୌସେନାର ୭ଟି ଟିମ୍ ନିୟୋଜିତ ହୋଇଛନ୍ତି ।

କୋହ୍ଲାପୁରରେ ରୋଗୀଙ୍କୁ ଉଦ୍ଧାର କରାଯାଇଛି । ଅକ୍ସିଜେନ୍ ସିଲିଣ୍ଡର ସହ ରୋଗୀଙ୍କୁ ଉଦ୍ଧାର କରି ବୋଟ୍ ଯୋଗେ ଡାକ୍ତରଖାନାକୁ ନିଆଯାଉଛି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ସାଙ୍ଗଲି ଜିଲ୍ଲାର ପ୍ରଭାବିତ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବୋଟ୍ ଯୋଗେ ଯାଇ ପୀଡିତ ଗ୍ରାମବାସୀଙ୍କୁ ଭେଟିଛନ୍ତି ଅଜିତ୍ ପାୱାର । ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଃଥଇଥାନ କରିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଭାବିତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସେହିଭଳି ଲଗାଣ ବର୍ଷା ଯୋଗୁଁ ଜଳବନ୍ଦି ହୋଇଥିବା ରତ୍ନଗିରି ଓ ରାଏଗଡରେ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି । ଭାରତୀୟ ନୌସେନାର ୭ଟି ଟିମ୍ ଉଦ୍ଧାର କାମରେ ଲାଗିଥିବା ନେଇ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ସୂଚନା ଦେଇଛନ୍ତି ।