ଯାଜପୁର ଜିଲ୍ଲାରେ କଲବଲ କରୁଛି ବନ୍ୟା । ବରୀରେ ପାଣି କମିଛି ହେଲେ ଦୁର୍ଦ୍ଦଶା ବଢିଛି । ଘର-ବାହାରେ ଚାରିଆଡେ ପାଣି ମାଡି ଯିବା ପରେ ଛାତ ଉପରେ ଏକାଠି ରହୁଛନ୍ତି ଗୃହପାଳିତ ପଶୁ ଓ ମଣିଷ

ସେପଟେ ମହାନଦୀରେ ବନ୍ୟା ଯୋଗୁଁ ବାଙ୍କୀରେ ସ୍ଥିତି ଗମ୍ଭୀର । ଦାଣ୍ଡରେ ଚାଲୁଛି ୮ ଫୁଟର ପାଣି

131

କନକ ବ୍ୟୁରୋ: ଯାଜପୁରରେ ବନ୍ୟା ସ୍ଥିତି ସଂଗୀନ । ବରୀ ଅଂଚଳରେ ସାମାନ୍ୟ ପାଣି କମିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ବରୀ ବନ୍ୟାଂଚଳରେ ଘରକୁ ଯିବା ପାଇଁ ବାପା କାନ୍ଧରେ ଝିଅକୁ ବସାଇ ନେଉଥିବା ଦୃଶ୍ୟ କଏଦ ହୋଇଛି । ଏପରିକି ଗାଁ ଦାଣ୍ଡରେ ବନ୍ୟା ପାଣି ଚାଲୁଥିବାରୁ ଛାତ ଉପରେ ମଣିଷ, ଗାଇ ଗୋରୁ ଏକାଠି ରହିଛନ୍ତି । ବନ୍ୟା ପ୍ରଭାବିତ ଅଂଚଳରୁ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ଓଡ୍ରାଫ ଟିମ । ଯାଜପୁର ବନ୍ଧଡିହ ଗାଁରୁ ଆସିଛି ଏଭଳି ହୃଦୟସ୍ପର୍ଶୀ ଖବର । ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଭରା ନଈ ପାରି କରି ତହସିଲଦାରଙ୍କ ଗାଡିରେ ଡାକ୍ତରଖାନା ପଠାଇଛନ୍ତି ଓଡ୍ରାଫ ଟିମ୍ର ଯବାନମାନେ । ଚଳିତ ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା ।

ବ୍ରାହ୍ମଣୀ ଓ ବୈତରଣୀରେ ବନ୍ୟା ଆସି ଯାଜପୁର ବ୍ଲକ, ବରୀ ବ୍ଲକ, ଓ ବଡଚଣା ବ୍ଲକର ବହୁ ସଂଖ୍ୟାରେ ଗାଁକୁ ଜଳ ମୟ କରି ଦେଇଛି । ବିଭିନ୍ନ ସ୍ଥାନରେ ପ୍ରାୟ ୨୦ରୁ ଅଧିକ ଘାଇ ହେବା ଯୋଗୁଁ ଅନେକ ଗାଁ ଜଳମଗ୍ନ ହୋଇଯାଇଛି । ଚାରିଆଡେ ପାଣି, କେଉଁଠି ପୋଖରୀ, କେଉଁଠି ନଦୀ । କିଛି ଜଣାପଡୁ ନାହିଁ । ତଥାପି ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ମଟୋର ବୋଟ ଯୋଗେ ବିପନ୍ନ ପାଖରେ ପହଂଚୁଛନ୍ତି ଯବାନ । ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳରେ ଉଦ୍ଧାର କାମରେ ଲାଗିଛନ୍ତି କୋରାପୁଟ ତୃତୀୟ ବାଟାଲିୟନର ଓଡ୍ରାଫ ଯବାନମାନେ । କର୍ତବ୍ୟକୁ ପ୍ରାଧାନ୍ୟ ଦେଉଥିବା ଯବାନମାନେ ଦିନ ରାତି ଏକ କରି ପାଣି ଘେରରୁ ଲୋକଙ୍କୁ ଉଦ୍ଧାର କରୁଛନ୍ତି ।

ସେପଟେ ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି,  ମହାନଦୀ ଉପର ମୁଣ୍ଡରେ ବର୍ଷା ନାହିଁ ।  ମୁଣ୍ଡୁଳୀରେ ୨ଟା ପରେ ପାଣି ଧୀରେ ଧୀରେ କମିବ ।  ମହାନଦୀ ସିଷ୍ଟମରେ  ୫ଟି ଘାଇ ସୃଷ୍ଟି ହୋଇଛି ।  ତଳମୁଣ୍ଡରେ  ଦେବୀ ଦୟା  ଭାର୍ଗବୀ କୁଶଭଦ୍ରାରେ ପାଣି ଚାଲୁଛି ।  ବହୁ ନଦୀ ବିପଦ ସଙ୍କେତ ଉପରେ ଅଛି ।  ପାଣି ନିଷ୍କାସନ ହେବାରୁ  ୪ ଦିନ ସମୟ ଲାଗିବ ।  ଦୟା ଓ କେନ୍ଦ୍ରାପଡାରେ  ଘଳିଆ ମରାଯାଇଛି ।