ଲଗାଣ ବର୍ଷାରେ ବେହାଲ ତାମିଲନାଡୁ: କୁତ୍ରିମ ବନ୍ୟାରେ ବୁଡିଲା ରାଜଧାନୀ ଚେନ୍ନାଇ, ରାସ୍ତା ଘାଟରେ ଲହଡି ଭାଙ୍ଗିଲା ବର୍ଷା ପାଣି

128

କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ତାମିଲନାଡୁ । ପ୍ରବଳ ବର୍ଷା ଫଳରେ ରାଜ୍ୟରେ ଅନେକ ସ୍ଥାନରେ ସ୍ଥିତି ସାଂଘାତିକ୍ ହୋଇ ପଡିଛି । ଖାସକରି ପ୍ରଭାବିତ ହୋଇଛି ଚେନ୍ନାଇ । ଏଠାରେ ଦୁଇ ଶହରୁ ଅଧିକ ଘର ନଷ୍ଟ ହୋଇଯାଇଛି । ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଛି । ୨୦୧୫ ପରେ ପୁଣିଥରେ ଚେନ୍ନାଇରେ ବର୍ଷାର ପ୍ରଳୟ ଦେଖିବାକୁ ମିଳିଛି ।

ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ ରାଜଧାନୀ ଚେନ୍ନାଇ । ଘର ଦ୍ୱାର, ରାସ୍ତା ଘାଟ ସବୁକିଛି ବର୍ଷା ପାଣିରେ ବୁଡି ଯାଇଛି । ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଚେନ୍ନାଇରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ପଡିଛି । ଲୋକଙ୍କ ଘରେ ପାଣି ପଶିଯାଇଛି । ରାସ୍ତାରେ ବି ବର୍ଷା ପାଣି ଲହଡି ଭାଙ୍ଗୁଛି । ଫଳରେ ଗାଡି ମୋଟର ସବୁ ବର୍ଷା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ଯାତାୟାତ ପ୍ରଭାବିତ ହେବା ସହ ଘରୁ ବାହାରିବା ବି ଅସମ୍ଭବ ହୋଇ ପଡିଛି ।

ଲଘୁଚାପ ପାଇଁ ତାମିଲନାଡୁରେ ଗତ ୨ ଦିନ ହେଲାଣି ବର୍ଷାର ପ୍ରଳୟ ଜାରି ରହିଛି । ଫଳରେ ଚେନ୍ନାଇରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ । ୨୦୧୫ ମସିହା ପରେ ପୁଣିଥରେ ଚେନ୍ନାଇରେ ଜଳ ପ୍ରଳୟ ଦେଖିବାକୁ ମିଳିଛି । ଏହି ଭିତରେ ଲୋକଙ୍କ ଚିନ୍ତା ବଢାଇ ଦେଇଛି ପାଣିପାଗ ରିପୋର୍ଟ । ଆସନ୍ତା ୨ ଦିନ ଯାଏଁ ବର୍ଷାର ପ୍ରଳୟ ଚେନ୍ନାଇ ସମେତ ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଲୋକଙ୍କ ଘର ଦ୍ୱାର ରାସ୍ତା ଘାଟ ସବୁ ବର୍ଷା ପାଣିରେ ବୁଡି ରହିଥିବାରୁ କିଛି ଲୋକ ନିଜ ଗାଡିକୁ ବ୍ରିଜ୍ ଉପରେ ପାର୍କ କରିଥିବା ଦେଖିବାକୁ ମିଳିଛି ।

ସେପଟେ ବର୍ଷାରେ ପ୍ରଭାବିତ ଲୋକଙ୍କ ପାଖରେ ପହଁଚି ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି ଏମକେ ଷ୍ଟାଲିନ । ତଳିଆ ଅଂଚଳର ଲୋକଙ୍କୁ ଉଦ୍ଧାର କରାଯାଇ କିଭଳି ସେମାନଙ୍କୁ ଥଇଥାନ କରାଯାଉଛି ତାହା ମଧ୍ୟ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ ନିଜେ ବନ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ବାଂଟୁଥିବା ଦେଖିବାକୁ ମିଳିଛି । ଏନଡିଆରଏଫ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ବର୍ଷାର ପ୍ରକୋପ ଦେଖି ଚେନ୍ନାଇ ସମେତ ରାଜ୍ୟର ଅନେକ ସ୍ଥାନରେ ସ୍କୁଲ କଲେଜ ବନ୍ଦ କରାଯାଇଛି ।