ବର୍ଷା: ମାଡି ଆସୁଛି, ବେଘର କରୁଛି… ଲଗାଣ ବର୍ଷାରେ ଓଡ଼ିଶାରେ ଉପୁଜିଲା ବନ୍ୟା ସ୍ଥିତି । ବଡ ବଡ ନଦୀରେ ଜଳସ୍ତର ବୃଦ୍ଧି, ପାଣି ପଶି ତଳିଆ ଅଞ୍ଚଳ ତଳିତଳାନ୍ତ । ବର୍ଷା ନେଲାଣି ୩ ଜୀବନ । ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା । ସାରା ରାଜ୍ୟରୁ ଆସିଲା ବର୍ଷାର ଭୟଙ୍କର ଚିତ୍ର…

780

କନକ ବ୍ୟୁରୋ: ଜଳ ଭିତରେ ଜୀବନ କେତେ ଜଞ୍ଜାଳମୟ ହୋଇପାରେ ସାରା ରାଜ୍ୟରୁ ଆସୁଥିବା ପାଣିର ସବୁ ଭୟଙ୍କର ଚିତ୍ର ହିଁ ବୟାନ କରୁଛି । କେଉଁଠି ମଣିଷ ବନ୍ଧା ପଡିଛି, ତ ଆଉ କେଉଁଠି ପାଣି ଘେର ଭିତରେ ମନ୍ଦିର ରହିଛି । ଢ଼େଙ୍କାନାଳରୁ ଦଶରଥପୁର, ଭଦ୍ରକରୁ ବୌଦ୍ଧ । ସରକାରୀ ଅଫିସରୁ ଜନବସତି, ଚାରିଆଡେ କେବଳ ପାଣି ହିଁ ପାଣି…

ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରେ ଉକ୍ରଟ ହୋଇଛି ବନ୍ୟା ସ୍ଥିତି । ବ୍ରାହ୍ମଣୀ, ବୈତରଣୀ, ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଂଚଳରେ ବନ୍ୟା ପାଣି ପ୍ରବେଶ କରିଛି । ବାଲେଶ୍ୱର ଏବଂ ଭଦ୍ରକରେ ଏବେ ବି ଏକାଧିକ ଗାଁର ଲୋକ ପାଣି ଘେରରେ ଫଶି ରହିଛନ୍ତି । ବନ୍ୟା ଯୋଗୁଁ ମୟୂରଭଂଜ ଓ କେନ୍ଦୁଝରରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି- ପ୍ରଥମେ ଲୋକଙ୍କ ସ୍ଥାନାନ୍ତର କରିବା ପରେ କ୍ଷୟକ୍ଷତି ଆକଳନ କରାଯିବ ।

ବାଲେଶ୍ୱର

ବାଲେଶ୍ୱରରେ ବନ୍ୟା କିଭଳି ଲୋକଙ୍କ ଜୀବନକୁ ବିପନ୍ନ କରିଛି ସାମ୍ନାକୁ ଆସିଛି ବର୍ଷାର ବିକଟାଳ ଚିତ୍ର । ପାଣି ଘେରରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ । ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଅରଡବଜାର, ଚୁନଭାଟି ଆଦି ଅଂଚଳରେ ପଶିଛି ବନ୍ୟା ପାଣି ।

ପଦ୍ମପୁର

ଲଗାଣ ବର୍ଷାର ପ୍ରଭାବ ଯୋଗୁଁ ଆଖି ଆଗରେ ମାଟିରେ ମିଶିଯାଉଛି କଚ୍ଚାଘର । ସାପଲହର ମାଟି ବନ୍ଧରୁ ମାଟି ଅତଡା ଖସିବା ଫଳରେ ତଳିଆ ଅଂଚଳ ଏବେ ଜଳମଗ୍ନ । ଭୟଭୀତ ଅବସ୍ଥାରେ କଦଲିମୁଣ୍ଡା, ଗମ୍ଭାରୀଡିହି ଏବଂ ବୁଧାପାଲି ଗାଁର ଲୋକ ।

ଖୋର୍ଦ୍ଧା

ରାଜୁଆ ନଦୀରେ ବନ୍ୟା ପରେ ଖୋର୍ଧାର ପାଖାପାଖି ୧୦ ଖଣ୍ଡ ଗାଁ ଏବେ ବନ୍ୟା ପାଣି ଘେରରେ । ଓରବରସିଂ ଏବଂ ନରଣଗଡ ପଂଚାୟତର ଅନେକ ଗାଁ ଏବେ ଜଳବନ୍ଦୀ । ଡିହଖଳା-ହରିମୂଳ ଗାଁ ରାସ୍ତା ଉପରେ ୪ ଫୁଟରେ ଚାଲୁଛି ବନ୍ୟା ପାଣି । ଏବେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା ।

ଢ଼େଙ୍କାନାଳ

ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ଆସିବାରୁ କରମୂଳ ଦୌଡେଶ୍ୱର ମନ୍ଦିରରେ ପଶିଛି ପାଣି । ମନ୍ଦିର ଭିତରେ ୫ ଫୁଟ ଉଚ୍ଚର ବନ୍ୟାଜଳ ଲହରି ମାରୁଛି । ପାଣିରେ ବୁଡି ରହିଛି ଦୌଡେଶ୍ୱର ମନ୍ଦିର । ସେହିପରି ପିଙ୍ଗୁଆ-ଦାସମାଣ ପାଟଣା ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଦାସମାଣପାଟଣା ଗାଁ ଜଳବନ୍ଦୀ ହୋଇ ରହିଛି ।

 ଭଦ୍ରକ

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ ପ୍ରବେଶ କରିଛି ବନ୍ୟା ଜଳ । ସେପଟେ ଧାମନଗର ଦୋବଲ ନିକଟ ରାସ୍ତା ଉପରେ ପାଣି ଚାଲୁଥିବାରୁ, ଧାମନଗର-ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଯାଜପୁର

ବୈତରଣୀ ନଦୀରେ ଜଳସ୍ତର ବଢିବାରୁ ଯାଜପୁର, କୋରେଇ ଓ ଦଶରଥପୁର ବ୍ଲକରେ ବନ୍ୟା ପାଣି ପଶିବା ଆରମ୍ଭ ହୋଇଛି । ଯାଜପୁର ବ୍ଲକର ସିମୁଳିଆ ପଂଚାୟତ ବାହ୍ୟଜଗତରୁ ସଂପୂର୍ଣ୍ଣ ବିଚ୍ଚିନ୍ନ ହୋଇଯାଇଛି । ଦଶରଥପୁର ବ୍ଲକର ୨୦ଟି ଓ ଯାଜପୁର ବ୍ଲକର ୭ଟି ପଂଚାୟତ ଜଳଘେରରେ ରହିଛି ।

ବୌଦ୍ଧ

ଖଟିଆ ଉପରେ ମଣିଷ, ଖଟିଆ ତଳେ ପାଣି । ଏଭଳି କିଛି ଚିତ୍ର ଆସିଛି ବୌଦ୍ଧ ଜିଲ୍ଳା ହରଭଙ୍ଗା ବ୍ଲକରୁ । ଏପେଟ ମନମୁଣ୍ଡା ସଗଡା କୁରୁମୁଣ୍ଡ ନାଳ ଉପରେ ପ୍ରବାହିତ ହେଉଛି ୫ ଫୁଟ ଉଚର ପାଣି । ସେହିଭଳି ହରଭଙ୍ଗା-ଚାରିଛକ ରାସ୍ତାରେ ଥିବା ଶଗଡିଆ ସେତୁ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।

ପାଲଲହଡା

ଏପଟେ ଅନୁଗୁଳ ଜିଲ୍ଲା କଣିହା ବ୍ଲକର କୁଲମା ପାଖ ଚିନାଲ୍ଟି ନାଳର ପୋଲ ଉପରେ ୪ ଫୁଟ ଉଚ୍ଚ ପାଣି ପ୍ରଭାବିତ ହେଉଛି ଫଳରେ କୁଳମା, ବରପଦ. ଖଣ୍ଡୋ, ନୀଳାପଶି, ଓଳନ୍ଦା ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ନଈ ଫୁଲୁଥିବାରୁ ବନ୍ୟାପାଣି ଏବେ ବହୁଗାଁରେ ପଶିଛି ।