ପାଣି ପାଟିରେ ମାଲକାନଗିରି ! ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି, ଜଳବନ୍ଦୀ ଜୀବନ… ବିପଦ ସଂକେତ ଉପରେ ବହୁଛି ସାବେରୀ ଓ ସିଲେରୁ ନଦୀ, ରାସ୍ତା ଉପରେ ଚାଲୁଛି ଡଙ୍ଗା । ୨୪ରେ ଆଉ ଏକ ଲଘୁଚାପ ନେଇ ଛାନିଆ ଲୋକେ

405

କନକ ବ୍ୟୁରୋ: ଆକାଶମାର୍ଗରୁ ବନ୍ୟା ବିଭିଷୀକାର ଚିତ୍ର କାହାରିକୁ ବି ବିବ୍ରତ କରିଦେବ । ଚାରିଆଡେ କେବଳ ପାଣି ଓ ପାଣି । କେଉଁଠି ବନ୍ୟା ପାଣିରେ ଘର ସଂପୂର୍ଣ୍ଣ ବୁଡ଼ି ଯାଇଛି, ତ ଆଉ କେଉଁଠି ଜନବସତି ଥିବା ସ୍ଥାନରେ ଡଙ୍ଗା ଚାଲିଛି । ମାଲକାନଗିରି ଜିଲ୍ଲା ମୋଟରୁ ଆସିଛି ବନ୍ୟାର କିଛି ଏଭଳି ଚିତ୍ର । ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସାବେରୀ ଓ ସିଲେରୁ ନଦୀ । ମୋଟୁ, ମୁଗି ପଏଂଟ, ମୁରଳିଗୁଡା, ବିନାୟକପୁର ଆଦି ଗାଁରେ ବନ୍ୟା ସ୍ଥିତି ସଂଗୀନ ରହିଛି । ସ୍ଥିତି ଏଭଳି ରହିଛି ଯେ, କେଉଁଠି ରାସ୍ତା, କେଉଁଠି ପୋଖରୀ, କେଉଁଠି ଚାଷ ଜମି ଜଣା ପଡୁନାହିଁ ।

ଏପଟେ ବାଲିମେଳା ଜଳଭଣ୍ଡାରରେ ଧୀରେ ଧୀରେ ବଢୁଛି ଜଳସ୍ତର । ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୫୧୬ ଫୁଟ ଥିବା ବେଳେ ଏହାର ନିକଟତର ହେଉଛି ଜଳସ୍ତର । ଆଉ ଏହାରି ଭିତରେ ଲଗାଣବର୍ଷା ଯୋଗୁଁ ସ୍ଥାନୀୟ ଅଂଚଳରେ ବର୍ଷା ଜଳ ମାଡ଼ି ଯାଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ନଷ୍ଟ ହେବାକୁ ବସିଲାଣୀ । ସେପଟେ ଗୁରୁପ୍ରିୟା ନଦୀରେ ଜଳସ୍ତର ବିଶେଷ ବଢ଼ିନଥିବାରୁ ଗୁରୁପ୍ରିୟା ସେତୁ ପ୍ରତି କୌଣସି ବିପଦ ନଥିବା କୁହାଯାଉଛି ।

ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ବୈତରଣୀ ନଦୀର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଶାଖାନଦୀ କାଣୀନଦୀର ଜଳସ୍ତର ବି ବଢୁଛି । ଏହାଦ୍ୱାରା ଯାଜପୁର ଦଶରଥପୁର ବ୍ଲକର କଂଟାପଡା ଅଂଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । କଂଟାପଡା ପୋଲଠାରୁ ମାତ୍ର ୫ମିଟର ମଧ୍ୟରେ ଏକାଧିକ ସ୍ଥାନରେ ଘାଇ ସୃଷ୍ଟି ହେବାର ଦେଖାଯାଇଛିି । ଗତ ୬ ବର୍ଷ ମଧ୍ୟରେ ଏଠାରେ ୪ଥର ଘାଇ ସୃଷ୍ଟି ହୋଇଥିବା ବେଳେ ଚଳିତବର୍ଷ ଏହା ଅଧିକ ସମସ୍ୟା ସୃଷ୍ଟି କରିଛି । ଏବର୍ଷ ଲଗାଣ ବର୍ଷା ଯୋଗୁଁ ପ୍ରାୟ ୪୦ ଫୁଟର ଏକ ଘାଇ ସୃଷ୍ଟି ହୋଇଛି । ବନ୍ୟାପାଣି ଆସିବା ଫଳରେ ବାଲିବସ୍ତା ବୋଝେଇ ଟ୍ରକ ମଧ୍ୟ ପୋଲ ଉପରେ ଓଲଟି ପଡିଛି ।