ପାଣି କମୁଛି, ଦୁର୍ଦ୍ଦଶା ବଢୁଛି । ଧନୁଆ ନଦୀ ଜଳରେ ଏବେ ବି ନିମାପଡାର ଅନେକ ଗାଁ ଜଳମଗ୍ନ । ଭୂତପଦା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ । ଗୋପ ବ୍ଲକର ଅନେକ ଗାଁ ଲୋକେ ଜଳବନ୍ଦୀ ।

266

କନକ ବ୍ୟୁରୋ: ବର୍ଷା ଛାଡିଛି, ଦୁର୍ଦ୍ଦଶା ବଢିଛି । ଚଳିତ ବର୍ଷ ନିମାପଡା ଅଂଚଳ ପାଇଁ ଦୁଃଖର କାରଣ ବନିଛି ଧନୁଆ ନଦୀ । ଏବେ ବର୍ଷା ଛାଡି ଯାଇଛି ସିନା, ହେଲେ ଗାଁ ଦାଣ୍ଡରୁ ପାଣି ଖସିନି । ଏବେ ବି ରାସ୍ତା ଉପରେ ଜମି ରହିଛି ୪ ଫୁଟର ପାଣି । ଘରୁ ବାହାରିଲେ ଡଙ୍ଗା ଭରସା । ବନ୍ୟା ପାଣିରେ ଫସି ରହିଛି ନିମାପଡା ଗୋପ ବ୍ଲକର ଅନେକ ଅଂଚଳ । ଗୋପ ବ୍ଲକର ନୂଆଖୋଲମରା, ରାଂହାଗୋରାଡା, ଡଭରା, ଅଣ୍ଡରା, ଗଣେଶ୍ୱରପୁର, ନାଗପୁର ପଂଚାୟତ ସମେତ ୬ ପଂଚାୟତ ଏବେ ପାଣି ଘେରରେ । ପୁରା ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଶହ ଶହ ପରିବାର ଏବେ ଦୟନୀୟ ସ୍ଥିତିରେ ଭୋକ ଉପାସରେ ଅଛନ୍ତି ।

ଧନୁଆ ନଦୀରେ ବନ୍ୟା ଯୋଗୁଁ ଗୋପ ବ୍ଲକର ବିଭିନ୍ନ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଶହ ଶହ ପରିବାର ପାଣିଘେରରେ ଥିବାବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗାଁକୁ କାଳେ ପାଣି ପଶିବା ଯିବ ସେହି ଡରରେ ବିପନ୍ନ ଲୋକେ ରାତି ତମାମ ବାଲି ବସ୍ତା ରଖି ବନ୍ଧ ଜଗୁଛନ୍ତି । ରାସ୍ତା ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି । ଏକର ଏକର ଜମି ଜଳମଗ୍ନ ହୋଇଛି । ଚାରିଆଡେ ଖାଲି ପାଣି ହିଁ ପାଣି ଦେଖାଯାଉଛି । ପ୍ରଶାସନ ବିପନ୍ନଙ୍କ ପାଖରେ ପଂହଚିନଥିବା ଅଭିଯୋଗ ହୋଇଛି ।

ସେପଟେ ବନ୍ୟା ପାଣି ଘେରରେ ପୁରୀ ଜିଲ୍ଲା ନିମାପଡାର ୧୬ଟି ପଂଚାୟତ । କୋଠକୁସାଙ୍ଗ ସାଙ୍ଗକୁ ବାମନାଳ ପଂଚାୟତର ସ୍ଥିତି ଅତି ଗମ୍ଭୀର ହୋଇପଡିଛି । ଏବେ ବି ଗାଁ ଦାଣ୍ଡରେ ଆଣ୍ଠୁଏ ଅଂଟାଏ ପାଣି ଜମି ରହିଛି । ଫଳରେ ଗାଁକୁ ଆସିବାକୁ କିମ୍ବା ଗାଁରୁ ବାହାରକୁ ଯିବାକୁ ହେଲେ ଡଙ୍ଗା ଭରସା । ଗାଁରେ ଥିବା ନଳକୂଅ ପାଣିରେ ବୁଡି ଯାଇଥିବାରୁ ପିଇବା ପାଣି ମୁଖ୍ୟ ସମସ୍ୟା ହୋଇଛି ଗ୍ରାମବାସୀଙ୍କ ପାଇଁ ।

ଅନ୍ୟପଟେ ବନ୍ୟା ବିପନ୍ନଙ୍କ ଦୁଃଖ ବୁଝିବାକୁ ପାଖରେ ପହଞ୍ଚିଛନ୍ତି ନେତା । ଯାଜପୁର ଜିଲ୍ଲା ଧର୍ମଶାଳା କେଲୁଅ ନଦୀ ବନ୍ଧ ରମାପୁର ଘାଇ ପରିଦର୍ଶନ କରିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ । କଂଗ୍ରେସ ଦଳ ଏହାର ନିରପେକ୍ଷ ତଦନ୍ତ ଦାବି କରିବା ସହ ସ୍ଥାନୀୟ ନେତାଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସୁରେଶ ରାଉତରାୟ ।