ପୁଣି ରାଜଧାନୀରେ ସୃ୍ଷ୍ଟି ହେଲା ବନ୍ୟାର ଭ୍ରମ ! ଜାତୀୟ ରାଜପଥ ଉପରେ ଭାସିଲା କାର, ଘରେ ପଶିଲା ପାଣି ।

50

କନକ ବ୍ୟୁରୋ : ଲଘୁଚାପ ବର୍ଷାରେ ପୁଣି ବୁଡିଲା ଭୁବନେଶ୍ୱର । ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା ଉପରେ ଲହଡି ଭାଙ୍ଗିଲା ଅଣ୍ଟାଏ ଉଚ୍ଚର ପାଣି । ସବୁଥର ଭଳି ଏଥର ମଧ୍ୟ ଅସରାଏ ବର୍ଷାରେ ବୁଡିଛି ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା । ମୁଖ୍ୟ ରାସ୍ତା ଉପରେ ପୁଣି ଭାସିଛି ଗାଡିମୋଟର । ଆଚାର୍ଯ୍ୟ ବିହାର, ନିକୋ ପାର୍କ ରାସ୍ତା ଓ ବରମୁଣ୍ଡାର ତଳିଆ ଅଂଚଳରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ବିଏମସି ଆଗରେ ଏବେ ବଡ ଚ୍ୟାଲେଞ୍ଜ, ରାଜଧାନୀର ଜଳ ନିଷ୍କାସନ ବ୍ୟବସ୍ଥା ।

ଅଧଘଂଟାର ଅସରାଏ ବର୍ଷା, ହାଲ ବେହାଲ କରିଦେଇଛି ରାଜଧାନୀର । ସ୍ମାର୍ଟ ସିଟି ସ୍ମାର୍ଟ ରାସ୍ତା ଉପରେ ଲହଡି ଭାଙ୍ଗିଛି ୩ ଫୁଟର ପାଣି । । ଆଉ ସେହି ପାଣିରେ ବୁଡି ରହିଛି ଗାଡି-ମୋଟର । ଅଟୋ, କାର୍, ବସ୍ ସବୁ ଭାସିଛି । ହଠାତ୍ ବର୍ଷିଲା, ଆଉ ଚାରିଆଡେ ବୁଡାଇଦେଲା । ଇସ୍କନ ମନ୍ଦିର ସମ୍ମୁଖ ରାଜପଥରେ ଦେଖାଦେଇଛି ବନ୍ୟାର ଭ୍ରମ । ଅଧଘଂଟା ଧରି ବର୍ଷିଲା ଆଉ ସବୁଥର ଭଳି ପାଣି ବି ଜମିଲା ।

ଇସ୍କନ ମନ୍ଦିର ସମ୍ମୁଖରେ ଏଭଳି ସ୍ଥିତି ନୂଆ ନୁହଁ । ଯେତେବେଳେ ବି ବର୍ଷା ହୋଇଛି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ଏଠାରେ । ଜାତୀୟ ସ୍ତରରେ ନିନ୍ଦିତ ହେବା ପରେ ଜଳ ନିଷ୍କାସନ ନେଇ ଜୋରସୋରରେ କାମ ଆରମ୍ଭ ହୋଇଛି । ହେଲେ, ସ୍ଥିତି ବଦଳିନି । କୃତ୍ରିମ ବନ୍ୟାର ଅଂଚଳ ଆଚାର୍ଯ୍ୟ ବିହାରରେ ବି ଚାଲିଲା ୪ ଫୁଟର ପାଣି । ଯିଏ ଯେଉଁଠି ଥିଲେ ଅଟକିଗଲେ । ଘରେ ଜଳବନ୍ଦୀ ସ୍ଥିତି । ଅଧଘଂଟାରେ ହନ୍ତସନ୍ତ କରିଦେଲା ବର୍ଷା । ଆଉ ଘଂଟାଏ ଧରି ଜମି ରହିଲା ନାଳ ନର୍ଦ୍ଦମାର ପାଣି । ନିକୋ ପାର୍କ ଓ ବରମୁଣ୍ଡାର ତଳିଆ ଅଂଚଳକୁ ବୁଡାଇଦେଇଛି ବର୍ଷା ।

ବର୍ଷା ଖାଲି ଭୁବନେଶ୍ୱରକୁ ବୁଡାଇନି ବରଂ ପ୍ରଭାବିତ ହୋଇଛି ଉପକୂଳ ଓଡିଶା । ପୁରୀ ଲୋକନାଥ ମନ୍ଦିର ବେଢାରେ ଜମିଛି ଆଂଠୁଏ ଉଚ୍ଚର ପାଣି । ମନ୍ଦିର ଭିତରେ ବି ପଶିଛି ବର୍ଷାପାଣି । ବେଶ୍ କିଛି ସମୟ ଧରି ପାଣିରେ ବୁଡି ରହିଛନ୍ତି ପ୍ରଭୁ ଲୋକନାଥ । ସେହିପରି ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ବି ପାଣି ପଶିଛି ।