କଲବଲ କରୁଛି କାଳିମେଳା ବନ୍ୟା । ପୋଲ ଉପରେ ବୋହୁଛି ପାଣି, ଧୋଇଗଲା ଜାତୀୟ ରାଜପଥର ଡାଇଭର୍ସନ, ଅଟକି ରହିଛି ଶହ ଶହ ଗାଡ଼ି ।

149

କନକ ବ୍ୟୁରୋ : ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି । କାଲିମେଳାରେ ଲଗାଣ ବର୍ଷା ଯୋଗୁଁ କାଙ୍ଗୁରକୋଣ୍ଡା ପୋଲ ଉପରେ ବହୁଛି ୨ଫୁଟ ଉଚ୍ଚର ପାଣି । ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନାଗିରି-କାଲିମେଳା ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ ।

ଦୁଇ ଦିନର ଲଗାଣ ବର୍ଷା ପରେ ବେହାଲ ଏବେ ମାଲକାନଗିରି ଜିଲ୍ଲାର ସ୍ଥିତି । ପ୍ରବଳ ବର୍ଷା ପରେ ବହୁ ନାଳ ଓ ନଦୀର ଜଳସ୍ତର ବଢିଛି । କାଲିମେଳାର କାଙ୍ଗୁରକୋଣ୍ଡା ପୋଲ ଉପରେ ବୋହୁଛି ବନ୍ୟାପାଣି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ମାଲକାନାଗିରି-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ସ୍ଥାନୀୟ ଲୋକ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ରାଜପଥ ଉପରେ ଅଟକି ରହିଛି ଶହ ଶହ ଗାଡ଼ି ।

ଆଭ୍ୟନ୍ତରିଣ ଓଡିଶାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡାଠାରେ ୫୯ ନମ୍ବର ଜାତୀୟ ରାଜପଥର ଦୁଇଟି ଡାଇଭର୍ସନ ଧୋଇଯାଇଛି । ଫଳରେ କନ୍ଧମାଳ-କଳାହାଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏବେ ସ୍ଥିତି ସ୍ୱାଭାବିକ ହୋଇନଥିବାରୁ ରାସ୍ତାର ଦୁଇ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଛି ।

ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେବ । ଆସନ୍ତା ୨ରୁ ୩ ଦିନ ଭିତରେ ଏହା ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ହେଉଥିବା ବର୍ଷାର ପରିମାଣ ସୋମବାରଠାରୁ ବଢିବ ବୋଲି ସୂଚନା ମିଳିଛି । ତେଣୁ ୪ଟି ଜିଲ୍ଲା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଅନ୍ୟ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।