ବନ୍ୟା ବିତ୍ପତି ! ୫ଟି ରାଜ୍ୟରେ ବେକାବୁ ପରିସ୍ଥିତି, ବିହାରରେ ୨୫, ଆସାମରେ ୧୫ଜଣଙ୍କ ମୃତ୍ୟୁ । ପାଣିରେ ବୁଡିଲା କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ଭାଗ ।

177

କନକ ବ୍ୟୁରୋ : ବନ୍ୟା ଯୋଗୁଁ ହାହାକାର । ଆସାମ, ବିହାର ସମେତ ୫ଟି ରାଜ୍ୟରେ ବେକାବୁ ହେଉଛି ବନ୍ୟା ପରିସ୍ଥିତି । ବିହାରରେ ୨୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆସାମରେ ୧୫ଜଣଙ୍କର ଜୀବନ ଯାଇଛି । ସେପଟେ କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ଭାଗ ପାଣିଘେରରେ ରହିଛି ।

ଆସାମରେ ବ୍ରହ୍ମପୁତ୍ର ରଚିଲା ବିଭୀଷିକା । ୩୦ଟି ଜିଲ୍ଲାରେ ଆସିଲା ବନ୍ୟା । ବ୍ରହ୍ମପୁତ୍ରରେ ଆସିଥିବା ବନ୍ୟା ଆସାମରେ ବୀଭିଷିକା ରଚିଛି । ଆସାମର ୩୩ରୁ ୩୦ଟି ଜିଲ୍ଲା ବନ୍ୟା ଘେରରେ ରହିଛି । ୪୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଲୋକ ଏବେବି ପାଣି ଘେରରେ ରହିଛନ୍ତି । ଘରଦ୍ୱାର ଭାସିଯାଇଛି । ବ୍ରିଜ୍ ଧୋଇଯାଇଛି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଭାରତୀୟ ସେନା, ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ । ସରକାରୀ ସୂତ୍ରରୁ ବନ୍ୟାରେ ଏଯାଏଁ ୧୫ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ୧,୫୩,୨୧୧ ହେକ୍ଟର ଚାଷ ଜମିରେ ମାଡିଯାଇଛି ପାଣି । ଏହାସହ ୪,୧୫୭ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି ।

ବଢୁଛି ବ୍ରହ୍ମପୁତ୍ର । ବିପଦରେ କାଜିରଙ୍ଗା । ଆସାମ ବନ୍ୟାରେ ପ୍ରାୟ ୯୦ ପ୍ରତିଶତ ବୁଡିଯାଇଛି କାଜିରଙ୍ଗା ଜାତୀୟ ପ୍ରାଣୀ ଉଦ୍ୟାନ । ନ୍ୟାସନାଲ ପାର୍କର ୯୫ଟି କ୍ୟାମ୍ପ ପାଣି ଘେରରେ ରହିଛି । ବିଶ୍ୱର ସବୁଠାରୁ ଅଧିକ ଗଣ୍ଡା ଥିବା ଏହି ପ୍ରାଣୀ ଉଦ୍ୟାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରଖାଯାଇଛି । ଜାତୀୟ ଉଦ୍ୟାନରେ ବନ୍ୟାପାଣି ମାଡିଯିବା ପରେ ଆଖପାଖରେ ଥିବା ଗାଁ ଆଡକୁ ମାଡି ଆସୁଛନ୍ତି ଜନ୍ତୁ । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବା ପରେ ପାଣି ଘେରରେ ରହିଛି ଚକ୍ରେଶ୍ୱର ମନ୍ଦିର । ନଦୀର କୂଳରେ ଥିବା ମହାପ୍ରଭୁ ବିଷ୍ଣୁଙ୍କ ଅନନ୍ତଶୟନ ମୂର୍ତି ଏବେ ନଦୀ ଜଳରେ ବୁଡି ଯାଇଛି ।

ବିହାରରେ ବନ୍ୟା ବିତ୍ପତି । ପାଣି ଘେରରେ ୧୨ଟି ଜିଲ୍ଲା । ସେହିପରି ବିହାରର ୧୨ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ୧୯୬ଟି ଶିବିରରେ ପ୍ରାୟ ୧ଲକ୍ଷ ୭ହଜାର ବନ୍ୟାପୀଡିତ ଆଶ୍ରୟ ନେଇଛନ୍ତି । ବନ୍ୟା ପ୍ରଭାବିତ ଅଂଚଳରେ ଏନଡିଆରଏଫ ଓ ଏସଡିଆରଏଫ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସରକାରୀ ସୂତ୍ରରେ ବିହାର ବନ୍ୟାରେ ପ୍ରାୟ ୨୪ଜଣଙ୍କର ମୃତ୍ୟୁ ହୋଇଛି ।