ବନ୍ୟା ଟଳିଲା ହେଲେ ଟଳିନି ବିପଦ । ୪ ଜିଲ୍ଲାରେ ବୈତରଣୀ ନଦୀର ବନ୍ୟା ପାଣି ପଶିବା ପରେ ବଢିଲା ଲୋକଙ୍କ ଦୁର୍ଦ୍ଦଶା । ଏସଆରସି କହିଲେ, ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଓଡ୍ରାଫ ଓ ଏନଡିଆରଏଫ

48

କନକ ବ୍ୟୁରୋ: ବଢୁଛି ବୈତରଣୀ । ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ପୋଲ ଉପରେ ୪ ଫୁଟର ପାଣି ଚାଲିଛି । ତଳିଆ ଅଂଚଳରେ ବନ୍ୟା ପାଣି ପଶିବାରୁ ଅନେକ ଗାଁ ଜଳବନ୍ଦୀ ହୋଇରହିଛି । ବୈତରଣୀ ଜଳସ୍ତର ବୃଦ୍ଧି ପାଇବା ପରେ ଅନେକ ସ୍ଥାନରେ ଓଡ୍ରାଫ ଓ ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି । ତେବେ ବୈତରଣୀ ଅବବାହିକାରେ ବିପଦ ନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ଚାରି ଆଡେ କେବଳ ପାଣି ଆଉ ପାଣି । ଗାଁ ଦାଣ୍ଡରେ ବୋହୁଛି ଅଂଟାଏ ଅଂଟାଏ ଉଚ୍ଚର ପାଣି । ରାସ୍ତା, ଚାଷ ଜମି ସବୁ ଏକା । ଏସବୁ ପରିସ୍ଥିତି ସୃଷ୍ଟି ହୋଇଛି ବୈତରଣୀ ନଦୀରେ ଆସିଥିବା ବନ୍ୟା ଜଳ ଯୋଗୁଁ । ଫଳରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଭଦ୍ରକର ମାଲଦା ନିକଟରେ ପୋଲ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଧାମନଗର ଅଚଂଳରେ ଜଳସ୍ତର ମଧ୍ୟ ଚିନ୍ତା ବଢାଇଛି । ସେହିପରି ଭଣ୍ଡାରୀ ପୋଖାରୀ , ତିହିଡି ଓ ଭଦ୍ରକ ସଦର ବ୍ଲକରେ ଅନେକ ଗାଁ ବୈତରଣୀ ନଈର ବନ୍ୟା ପାଣିରେ ଜଳବନ୍ଦୀ ହୋଇଛି । ଏହି ୪ଟି ବ୍ଲକର ଶହେରୁ ଅଧିକ ପଂଚାୟତ ପାଣି ଘେରରେ ରହିଛି ।

କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବୈତରଣୀ ଏବଂ ତାର ଶାଖା ନଦୀ ଗୁଡ଼ିକରେ ମଧ୍ୟ ବନ୍ୟା ସ୍ଥିତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ୫ଟି ପଂଚାୟତ ଏବଂ ଆଳି ବ୍ଲକର ୧୦ଟି ପଂଚାୟତରେ ପଶିଯାଇଛି ବନ୍ୟା ପାଣି । ଯାଜପୁର ଜିଲାର କୋରେଇ, ଯାଜପୁର ଓ ଦଶରଥପୁର ବ୍ଲକର ତଳିଆ ଅଂଚଳରେ ବନ୍ୟା ଜଳ ପ୍ରବେଶ କରିବା ପରେ ବଢ଼ିଚାଲିଛି ଲୋକଙ୍କ ଦୁର୍ଦଶା ।

ସେପଟେ, ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ବିଭିନ୍ନ ଅଂଚଳରେ ପଶିଛି ବନ୍ୟାପାଣି । ହାଟଡିହି ବ୍ଲକର ଆଇତିପୁର ପଂଚାୟତର ରାଘବପୁର ଓ ନୁଆଗାଁ ଗାଁ ପାଣିଘେରରେ ରହିଛି । ବୈତରଣୀର ବନ୍ୟାଜଳ ଗତକାଲି ରାତିରୁ ଗାଁ ଭିତରେ ପ୍ରବେଶ କରିବାରୁ ଏହି ଦୁଇଟି ଗାଁ ରାସ୍ତାରେ ଚାଲିଛି ୪ଫୁଟ ଉଚ୍ଚର ପାଣି । ଫଳରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ଏହି ଦୁଇ ଗାଁ । ୧୦୦ରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

ତେବେ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇବା ପରେ ଆନନ୍ଦପୁର, ଘସିପୁରା, ହାଟଡିହି, କୋରେଇ, ଯାଜପୁର, ଆଳି, ରାଜକନିକାରେ ଓଡ୍ରାଫ ଓ ଏନଡିଆରଏଫ ମୁତୟନ ଅଛନ୍ତି । ବୈତରଣୀ ଅବବାହିକାରେ ବିପଦ ନାହିଁ ବୋଲି କହିଛନ୍ତି ଏସଆରସି ।