ଉତର ପରେ ଦକ୍ଷିଣ ଭାରତରେ ବର୍ଷା ଆଣିଲା ବନ୍ୟା । ପାଣିରେ ବୁଡିଛି ଆନ୍ଧ୍ର, ତେଲେଙ୍ଗାନା, କେରଳ, କର୍ଣ୍ଣାଟକର ଅଧିକାଂଶ ଜିଲ୍ଲା

106

କନକ ବ୍ୟୁରୋ : ଯୁଆଡ଼େ ଚାହିଁବ ପାଣି ଆଉ ପାଣି । ଯେଉଁଠି ଦେଖିବ ଜଳ ପ୍ରଳୟର ତାଣ୍ଡବ । ଲଗାତର ଭାବେ କିଛି ଦିନ ହେବ ଉତର ଭାରତରେ ବନ୍ୟାସ୍ଥିତି ଦେଖିବାକୁ ମିଳିଥିବାବେଳେ ଏବେ ଦକ୍ଷିଣ ଭାରତରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ , କେରଳ , ତାମିଲନାଡ଼ୁ ଆଦି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷାଜନିତ କାରଣରୁ ମଙ୍ଗଳବାର କର୍ଣ୍ଣାଟକର ଉଦୁପି ଓ ବିଜୟାପୁରାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର ଗ୍ରେଟର ହାଇଦ୍ରାବାଦ ଏବଂ ୬ ଟି ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ରେର୍ଡ ଅଲର୍ଟ ଜାରି କରାଯାଇଛି । ଅନ୍ୟପଟେ ତେଲେଙ୍ଗାନା ମୁଲୁଗୁରେ ପୋଲ ଉପରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ଯାତାୟାତରେ ଅସୁବିଧା ହୋଇଛି ।

ରାଜସ୍ଥାନର ଉଦୟପୁର ରାସ୍ତାରେ ହଠାତ ବନ୍ୟା ଆସିବାରୁ ଦୁଇ ଜଣ ଯୁବକ ବାଇକ ନେବାବେଳେ ଫସିଯାଇଥିଲେ । ଖବରପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଁଚି ଦୁହିଁଙ୍କୁ ଉଦ୍ଧାର କରିଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ହିଣ୍ଡନ ନଦୀରେ ବଡ଼ ଧରଣର ବନ୍ୟା ସୃଷ୍ଟି ହୋଇଛି । ଫଳରେ ନୋଏଡ଼ାର ବିିଭିନ୍ନ ଅଂଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ପାଣିରେ ବୁଡ଼ି ରହିଛି ୫ ଶହରୁ ଅଧିକ ଗାଡ଼ି । ଗ୍ରେଟର ନୋଏଡ଼ାର ସୁଥିୟାନା ଗ୍ରାମରେ ଏହି ଭିଡ଼ିଓ ରେକର୍ଡ଼ କରାଯାଇଛି । ପାଣିରେ ବୁଡ଼ିଥିବା ସମସ୍ତ ଗାଡ଼ି ଇକୋଟେକ-ଥ୍ରୀ ନିକଟରେ ପାର୍କିର୍ଂ କରାଯାଇଛି । ତେବେ ଏହି କାରଗୁଡ଼ିକ ସିଜ କାର ବୋଲି ଜଣାପଡ଼ିଛିି । ତେବେ ନୋଏଡ଼ା ପରି ଗାଜିଆବାଦରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଲୋକଙ୍କ ଚିନ୍ତା ବଢ଼ିଛି । ଅନ୍ୟପଟେ ଆଶ୍ରୟ ଶିବିରରେ ସାପ କାମୁଡ଼ା ଓ ଅନ୍ୟ ଜୀବଜନ୍ତୁଙ୍କୁ ନେଇ ଭୟଭୀତ ହୋଇଛନ୍ତି ବନ୍ୟା ବିପନ୍ନ ।