ବନ୍ୟା ସାଧୁଛି ଦାଉ । ପୁରୀ ଓ ଖୋର୍ଦ୍ଧାରେ ବନ୍ୟାସ୍ଥିତି ସଙ୍ଗୀନ, ଏବେବି ଗାଁରେ ପହଞ୍ଚିପାରିନାହିଁ ପ୍ରଶାସନ

437

କନକ ବ୍ୟୁରୋ : ଏବେ ବି ଦୂର ହୋଇନି ବନ୍ୟାର ଦାଉ । ଖାସ୍ କରି ପୁରୀ ଓ ଖୋର୍ଧା ଜିଲ୍ଲାରେ ଏହାର ପ୍ରଭାବ ଏବେ ବି ଦେଖିବାକୁ ମିଳିଛି । ଖୋର୍ଧାର ବୋଲଗଡ ଅଂଚଳ ଓ ପିପିଲିର କଣାସରେ ଆଜି ବି ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଅଛି । ପ୍ରଶାସନ ଏ ଯାଏଁ ଅନେକ ଗାଁରେ ପହଂଚିପାରିନାହିଁ । ୬ ଦିନ ପରେ ବି ଅବସ୍ଥାରେ ସୁଧାର ଆସୁନଥିବାରୁ ଲୋକଙ୍କ ସମସ୍ୟା ବଢିଯାଇଛି । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି ।

ସେପଟେ, ପିପିଲିର କଣାସରେ ବି ଛାଡୁନି ବନ୍ୟା ପାଣି । ଚାଷ ଜମିରେ ଅଂଟାଏ ପାଣି ଲହଡି ମାରୁଛି । ଗାଁ ଦଣ୍ଡରେ ବି ଅଂଟାଏ ଉଚ୍ଚର ପାଣି ଏବେ ବି ରହିଛି । ଦୟା, ରାଜୁଆ, ମକରା ଓ ଲୁଣା ନଦୀରେ ବନ୍ୟା ପାଣି ବଢିବା ଫଳରେ ଏଭଳି ସ୍ଥିତି ଦେଖାଦେଇଛି । ନଦୀକୂଳରେ ଥିବା ଅନେକ ଗାଁଗୁଡିକର ଘରେ ପାଣି ପସିଯିବା ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଦୟା ନଦୀରେ ପାଣି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ୩ରୁ ୪ ପଂଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି । ତେବେ ବନ୍ୟା ପାଣି ଅନେକ ତଳିଆ ଅଂଚଳର ଘରେ ମଧ୍ୟ ପସିଛି । ଗତ ୪ ଦିନ ହେବ ଏପରି ସ୍ଥିତି ଲାଗି ରହିଛି ଯାହାକୁ ନେଇ ଚିନ୍ତାରେ ଗାଁ ଲୋକେ ।