କନକ ବ୍ୟୁରୋ: କେନ୍ଦ୍ରାପଡାରେ ଭାସିଗଲା ଟାଟା ମ୍ୟାଜିକ । ଏଥିରେ ଯାତ୍ରା କରୁଥିବା ୧୦ଜଣ ଶ୍ରମିକ ଭାସିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣେ ଏବେବି ନିଖୋଜ ଅଛନ୍ତି । ଜିଲ୍ଲାର ବେଣିପୁରରେ ଘଟିଛି ଏହି ଘଟଣା । ବିରୁପା ନଦୀ ବନ୍ଧରେ ଏକ ୨୫ ଫୁଟର ଘାଇ ହୋଇ ରାସ୍ତାରେ ପାଣି ଚାଲୁଥିବା ବେଳେ ସେହି ରାସ୍ତାରେ ବିହାର ଜାମସେଦପୁରର ୧୦ଜଣ ଶ୍ରମିକ ଏକ ମ୍ୟାଜିକ ଗାଡିରେ ଫେରୁଥିବା ବେଳେ ଗାଡିଟି ଭାସିଯାଇଥିଲା । କୌଶଳ କ୍ରମେ ୯ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଶ୍ରମିକ ନିଖୋଜ ହୋଇଯାଇଛନ୍ତି । ଗାଡିଟି ମଧ୍ୟ ନଦୀରେ ଭାସି ଯାଇଛି ।
ଆଜି ମଧ୍ୟରାତ୍ରୀ ବେଳକୁ ମୁଣ୍ଡଳିଠାରେ ସର୍ବାଧିକ ୧୦ ଲକ୍ଷରୁ ୧୦ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେବା ସମ୍ଭାବନା ରହିଛି । ଫଳରେ ତଳମୁଣ୍ଡରେ ଏକ ମଧ୍ୟମ ଧରଣ ବନ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହାକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ୪୦ଟି ଗେଟ୍ ଖୋଲାଯାଇଛି । ଫଳରେ ମହାନଦୀକୁ ନିଷ୍କାସିତ ହେଉଛି ୬ ଲକ୍ଷ ୫୮ ହଜାର ୫୭୦ କ୍ୟୁସେକ ଜଳ ।
ମହାନଦୀରେ ବନ୍ୟା ଜଳ ପ୍ରବାହ ବୃଦ୍ଧି ପାଇଥିବା ବେଳେ ତାର ଶାଖା ନଦୀଗୁଡିକରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ହିରାକୁଦରେ ଗେଟ ଖୋଲିବା ପରେ ନଦୀଗୁଡିକ ଆହୁରି ଫୁଲିବା ନେଇ ଆଶଙ୍କା ଦେଇଛି । ତେଣୁ ଏବେ ଚିନ୍ତାରେ ଅଛନ୍ତି ନଈ କୂଳିଆ ଲୋକେ ।