ଉତ୍ତର ଭାରତରେ ଜଳପ୍ରଳୟ । ବର୍ଷା, ବନ୍ୟା, ଭୂସ୍ଖଳନରେ ଗଲାଣି ଶହେରୁ ଅଧିକ ଜୀବନ । ଦିଲ୍ଲୀରେ ୪୫ବର୍ଷର ରେକର୍ଡ ଭାଙ୍ଗି ବୋହୁଛି ଯମୁନା ନଦୀ ।

155

କନକ ବ୍ୟୁରୋ: ଜଳପ୍ରଳୟରେ ତ୍ରାହି ତ୍ରାହି ଡାକୁଛି ଉତ୍ତର ଭାରତ । ଲଗାଣ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଯାଉଛି ଧନଜୀବନ । ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର ପରି ପାହାଡିଆ ରାଜ୍ୟ ସହ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଆସାମ ଓ ପଞ୍ଜାବରେ ବେହାଲ ହୋଇଛି ସ୍ଥିତି । ଏବେ ସୁଦ୍ଧାର ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି ।

  • ଦେଶରେ ଜଳପ୍ରଳୟ
  • ଉବୁଟୁବୁ ଉତରଭାରତ

ଅଧା ଭାରତରେ ଜଳ ପ୍ରଳୟ । ୨୬ ରାଜ୍ୟରେ ଚାଲିଛି ବର୍ଷା । ସେଥିମଧ୍ୟରୁ ୮ରାଜ୍ୟରେ ବର୍ଷା ସାଜିଛି କାଳ । ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁକଶ୍ମୀର, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ, ଆସାମ, ଗୁଜରାଟରେ ଦେଖିବାକୁ ମିଳୁଛି ପ୍ରକୃତିର କରାଳ ରୂପ । ମୌସୁମୀ ବର୍ଷା ଆରମ୍ଭରୁ ହିଁ ରାଜ୍ୟଗୁଡିକର ସ୍ଥିତି ବେହାଲ ହୋଇପଡିଲାଣି । କେଉଁଠି ପୋଲ ଭୁଷୁଡୁଛି ତ ପୁଣି କେଉଁଠି ରାସ୍ତା ଧୋଇ ହୋଇଯାଉଛି । କେଉଁଠି ଭୁସ୍ଖଳନ କାଳ ତ ପୁଣି କେଉଁଠି ରାସ୍ତା ଫାଟି ଆଁ କରିଛି । ଦେଶର ଅଧିକାଂଶ ରାଜ୍ୟରେ ଚାଲିଛି ବର୍ଷା ଓ ବନ୍ୟା ବିଭିଷୀକା ।

  • ଦିଲ୍ଲୀରେ ବିଗୁଡୁଛି ସ୍ଥିତି
  • ବିପଦରେ ଯମୁନା ନଦୀ

ସେପଟେ ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା କୃତିମ ବନ୍ୟା ନେଇ ଆସିଛି । ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗି ବିପଦସଙ୍କୁଳ ସ୍ଥିତି ଦେଇ ପ୍ରବାହିତ ହେଉଛି । ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବା ସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ଥିତିର ନୀରିକ୍ଷଣ କରୁଛନ୍ତି । କ୍ୟାବିନେଟ ମନ୍ତ୍ରୀ ରାଘବ ଚଡ୍ଡା ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ।

ବର୍ଷା,ବନ୍ୟା ଓ ଭୂସ୍ଖଳନରେ ଏବେ ସୁଦ୍ଧା ସାରା ଦେଶରେ ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଶତାଧିକ ଲୋକ ଆହତ ହୋଇସାରିଛନ୍ତି । ମୃତକ ଓ ଆହତଙ୍କ ମଧ୍ୟରେ ସର୍ବାଧିକ ଲୋକ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବୋଲି ସୂଚନା ରହିଛି । ସେପଟେ ରାସ୍ତାଘାଟ ବନ୍ଦ ପଡିବା ଯୋଗୁଁ ଯାତାୟତ ବେଶ ବାଧାପ୍ରାପ୍ତ ହେଉଛି ।