ମହାନଦୀର ମହାରୂପ । ତଳିଆ ଅଂଚଳର ସ୍ଥିତି ବେହାଲ, ବନ୍ୟାଅଂଚଳ ବୁଲି ସ୍ଥିତି ପରଖିଲେ ଯୋଗାଣ ମନ୍ତ୍ରୀ

76

କନକ ବ୍ୟୁରୋ : ମହାନଦୀରେ ଜଳସ୍ତର ବଢ଼ିବା ଫଳରେ ତଳିଆ ଅଂଚଳରେ ଥିବା ଗାଁ ଗୁଡିକରେ ବନ୍ୟାଜଳ ପଶିଛି । କଟକ ଜିଲ୍ଲାର ତିଗିିରିଆରେ ବିଭିନ୍ନ ଗାଁରେ ପଶିଛି ବନ୍ୟାଜଳ । କୋଇଲିକନ୍ୟା ଓ ରଘୁରାମପୁର ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବନ୍ୟା ଜଳ । ତିଗିରିଆର ତିନୋଟି ପଂଚାୟତ ସମ୍ପୂର୍ଣ୍ଣ ଭାବେ ପାଣି ଘେରରେ ରହିିଛି । ଏବଂ ବାହ୍ୟଜଗତରୁ ଏକପ୍ରକାର ବିଛିନ୍ନ ହୋଇଛି । ସେହିପରି ଉତରବାଙ୍କୀ ବ୍ଲକର ଓସ୍ତିଆ ପଂଚାୟତ ଓ ତିଗିରିଆ ବ୍ଲକର ଚଷାଆଁରା ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ଏହିସବୁ ବନ୍ୟା ପ୍ରଭାବିତ ଅଂଚଳକୁ ଆସି ବୁଲି ଦେଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ସେପଟେ ମହାନଦୀର ବନ୍ୟାଜଳ କୁଶଭଦ୍ରାରେ ପହଁଚିବା ପରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ପୁରୀ ଜିଲ୍ଲା ଗୋପ ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ସ୍ଥାନରେ ଘଳିଆ ପଡିବା ପରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ତରଡପଡାଠାରେ ଏକ ୫ଫୁଟ ଗୋଲେଇର ଘଳିଆ ପଡିଛି । ବାଲିବସ୍ତା ପକାଇ ଘଳିଆ ବନ୍ଦ କରିବାକୁ ଉଦ୍ୟମ ଜାରି ରହିଛି । ପରିସ୍ଥିତି ଏପରି ହୋଇଛି ଲୋକମାନେ ରାତି ଅନିଦ୍ରା ହୋଇ ବନ୍ଧ ଜଗି ରହିଛନ୍ତି । ସେହିପରି ରାମଚଣ୍ଡୀ-ଖାଲାକଟାପାଟଣା ଘେରିବନ୍ଧ ଭାଙ୍ଗିବା ଭଳି ଅବସ୍ଥାରେ ରହିଛି । ଏପରିକି କେତେକ ସ୍ଥାନରେ ବନ୍ଧ ବୁଡିବାକୁ ଆଉ ମାତ୍ର ଫୁଟେରୁ ଦେଢ଼ ଫୁଟ ବାକି ଅଛି । ତେଣୁ ଏହାକୁ ନେଇ ଲୋକମାନେ ଚିନ୍ତାରେ ପକାଇଛି ।