ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ଏସଆରସି ପ୍ରଦୀପ ଜେନାଙ୍କ ସୂଚନା

103

କନକ ବ୍ୟୁରୋ : ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ତେବେ ଏଥିପାଇଁ ମହାନଦୀ ଅବବାହିକାରେ ବିଶେଷ କ୍ଷତି ହେବ ନାହିଁ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବନ୍ୟା ମୁକାବିଲା ପାଇଁ ଜଳସଂପଦ ବିଭାଗର ସମସ୍ତ କର୍ମଚାରୀ ତତ୍ପର ଅଛନ୍ତି । ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ୬୨୮ ଫୁଟ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବଳକା ଜଳକୁ ନିଷ୍କାସନ କରିବାକୁ ଅଧିକ ଗେଟ୍ ଖୋଲାଯିବ । ଏବେ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅଧିକ ଗେଟ ଖୋଲାଯିବା ପରେ ମୁଣ୍ଡୁଳିଠାରେ ଘଣ୍ଟାପ୍ରତି ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୨୧ଟି ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରାୟ ୨୦ ଲକ୍ଷ ୪୮ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ଓ ୩୮୪୮ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି ।

ବିଗତ ଦୁଇ ଦିନରେ ମୋଟ୍ ୧୫୫.୯ ମି.ମି ବର୍ଷା ହୋଇଛି । ମୋଟ୍ ୨୧ଟି ଜିଲ୍ଲାରେ ବୃଷ୍ଟିପାତ ହୋଇଛି । ବୃଷ୍ଟିପାତ ଯୋଗୁଁ ୧୨୬ଟି ବ୍ଲକରେ ୪୧୩୪ଟି ଗାଁ ଓ ୨୯ଟି ପୌରପରିଷଦ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଦ୍ୱାରା ୨୦ ଲକ୍ଷ ୪୮ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ୩୮୩୯ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ୧ ଲକ୍ଷ ୨୨ ହଜାର ୪୫୮ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ବର୍ଷା କମିଥିବାରୁ ବଂଶଧାରା, ରୁଷକଲ୍ୟା ନଦୀର ଜଳସ୍ତର ହ୍ରାସ ପାଉଛି । ସେହିପରି ବାଲେଶ୍ୱର ଜିଲ୍ଲାର ମଥାନୀଠାରେ ଜଳକା ନଦୀର ଜଳସ୍ତର ୬.୬୪ ମିଟରରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୫.୫୦ ମିଟର ରହିଛି ।