ଅସମ୍ଭାଳ ହେଲା ଆସାମ ସ୍ଥିତି: କାଜିରଙ୍ଗା ପାର୍କରେ ପଶିଲା ପାଣି, ବେଘର ହେଲେ ବନ୍ୟଜନ୍ତୁ

293

କନକ ବ୍ୟୁରୋ: ବିହାର ଓ ଆସାମରେ ପ୍ରଳୟ ରଚୁଛି ବନ୍ୟା । ବନ୍ୟା ଯୋଗୁଁ ବିହାର, ଆସାମ ଆଖିରୁ ନିଦ ଉଡି ଯାଇଥିବା ବେଳେ ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଛି ଶହ ଶହ ଗାଁ । ବନ୍ୟାରେ ବିହାର ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ବେଶି ପ୍ରଭାବିତ ହୋଇଛି ଆସାମ । ବିହାରର ୧୨ ଜିଲ୍ଲାରେ ୧୯ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ହେଲେ ଆସାମରେ ମାତ୍ରାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଆସାମର ୩୩ ଜିଲ୍ଲାରୁ ମାତ୍ର ୩ଟି ଜିଲ୍ଲାକୁ ଛାଡି ଦେଲେ ବାକି ୩୦ ଜିଲ୍ଲା ବନ୍ୟାରେ ବୁଡିଛି । ୪୧୫୭ଟି ଗାଁ ଏବେବି ବନ୍ୟା ଜଳରେ ଉବୁଟୁବୁ ହେଉଛି ଆଉ ୪୨ ଲକ୍ଷ ୮୬ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।


ବନ୍ୟା ଜଳରେ ବୁଡିଛି ପୂରା ଆସାମ । ଜୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ପରିସ୍ଥିତି ଏମିତି ହୋଇଛି ଯେ ଗୋଟିଏ ଶୁଖିଲା ଜାଗା ମିଳିବା, ଗୋଟିଏ ଉଚ୍ଚା ସ୍ଥାନ ମିଳିବା ଏକଦମ କଷ୍ଟ ହୋଇପଡିଛି । ଖାଲି ମଣିଷ ନୁହେଁ ପଶୁପକ୍ଷୀ ବି ଜୀବନ ବଞ୍ଚାଇବାକୁ ଅହରହ, ପ୍ରାଣମୂର୍ଚ୍ଛା ସଂଘର୍ଷ କରୁଛନ୍ତି । ତେବେ ଲଗାଣ ବର୍ଷା ଯୋଗୁଁ ଛାରଖାର ହୋଇଛି କାଜିରଙ୍ଗା ଜାତୀୟ ଉଦ୍ୟାନ । ପାର୍କ ଭିତରେ ଲହଡି ଭାଙ୍ଗୁଛି ବନ୍ୟାଜଳ । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢୁ ଥିବାରୁ କାଜିରଙ୍ଗା ଉଦ୍ୟାନର ୯୦ ପ୍ରତିଶତ ବୁଡିଯାଇଛି ।

ତେବେ ବନ୍ୟା କାରଣରୁ ଜାତୀୟ ଉଦ୍ୟାନର ଜୀବଜନ୍ତୁଙ୍କ ଜୀବନ ଅସୁରକ୍ଷିତ ହୋଇପଡିଛି । ୧୦୦୦ ହାତୀ ଏବଂ ଶତାଧିକ ହରିଣଙ୍କ ଘରେ ପାଣି ପଶି ଯାଇଥିବାରୁ ବେଘର ହୋଇଛନ୍ତି ବନ୍ୟଜନ୍ତୁ । ଖାଲି ହାତୀ, ହରିଣ ନୁହଁନ୍ତି ଗଣ୍ଡା ଓ ବିଭିନ୍ନ ଜୀବନ ଜନ୍ତୁ ଜଳବନ୍ଦୀ ରହିଛନ୍ତି । ତେବେ ବନ୍ୟା ପାଣିରେ ଫସି ରହିଥିବା ବନ୍ୟଜନ୍ତୁଙ୍କୁ ଜଳରୁ ଉଦ୍ଧାର କରିବାକୁ କାଜିରଙ୍ଗା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯେଉଁ ଯେଉଁ ସ୍ଥାନରେ ଜଳର ମାତ୍ରା ଅଧିକ ରହିଛି ସେଠୁ ଜୀବଜନ୍ତୁଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।