ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀ ! ବିପଦ ସଙ୍କେତ ଉପରେ ବୈତରଣୀ, ଗାଁରେ ପଶିଲା ପାଣି ।

28

କନକ ବ୍ୟୁରୋ : ବୈତରଣୀ ନଦୀରେ ପୁଣି ବନ୍ୟା ଆସିଛି । ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଚଳିତ ବର୍ଷ ବୈତରଣୀ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଆସିଛି । ବୈତରଣୀ ନଦୀ ଆଖୁଆପଦାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ନଦୀର ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ୧୮.୦୮ ମିଟର ଉପରେ ପ୍ରବାହିତ ହୋଉଛି । ପୂର୍ବ ବର୍ଷା ଓ ବନ୍ୟା କାରଣରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ଏବେ ବି ପାଣି ଜମି ରହିଥିବା ବେଳେ ବୈତରଣୀ ନଦୀରେ ତୃତୀୟ ବନ୍ୟା ଯୋଗୁ ଯାଜପୁର, କୋରେଇ ଓ ଦଶରଥପୁର ବ୍ଲକର ତଳିଆ ଅଂଚଳ ଲୋକେ ଭୟଭୀତ ହୋଇଛନ୍ତି ।

ବାରମ୍ବାର ବନ୍ୟା କାରଣରୁ ନଦୀ ବନ୍ଧରେ ଅତଡା ଖାଉଥିବାରୁ ଲୋକ ଆତଙ୍କିତ ହୋଇ ପଡିଛନ୍ତି । ସେହିଭଳି ଭଦ୍ରକରେ ମଧ୍ୟ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ଆଖୁଆପଦା ନିକଟରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ନଦୀର ଜଳସ୍ତର ୧୮.୦୨ ମିଟର ରହିଛି । ଫଳରେ ନଦୀ ଉଭୟ ପାଶ୍ୱର୍ରେ ଥିବା ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।