କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପରେ ବୈତରଣୀରେ ବନ୍ୟା ଆସିଥିବା ବେଳେ ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଏହି ୨ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ବୈତରଣୀରେ ବନ୍ୟା ଯୋଗୁ କେନ୍ଦୁଝର ଓ ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Advertisment

ମୟୂରଭଞ୍ଜରେ କଣ୍ଟା, ଖଇରୀଭଣ୍ଡନ ଓ ବୈତରଣୀ ଆଦି ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ସେହିଭଳି, ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଶୁକ୍ରବାର ସୁଦ୍ଧା ବନ୍ୟା ଆସିବ ବୋଲି କୁହାଯାଉଥିବା ବେଳେ ଏହାଦ୍ବାରା ବାଲେଶ୍ବର ଓ ମୟୂରଭଞ୍ଜ ପ୍ରଭାବିତ ହେବ । ଅନ୍ୟପକ୍ଷରେ, ଅବିଶ୍ରାନ୍ତ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲ୍ଲାରେ ବ୍ରାହ୍ମଣୀ ଫୁଲୁଥିବାରୁ ବନ୍ୟା ଆଶଙ୍କା ସୃଷ୍ଟିହୋଇଛି ।

ବୈତରଣୀ ଉପରମୁଣ୍ଡ ତଥା କେନ୍ଦୁଝର ଜିଲ୍ଲାର ବାଂଶପାଳ, ଯୋଡ଼ା, ଚମ୍ପୁଆ ଆଦି ଅଞ୍ଚଳରେ ଗତକାଲି ରାତିରେ ପ୍ରବଳ ବର୍ଷା ହେବାରୁ ଶୁଖିଲା ପଡ଼ିଥିବା ବୈତରଣୀ ଗୁରୁବାର ସକାଳୁ ହଠାତ୍‌ ଫୁଲି ଉଠିଥିଲା। ଆଖୁଆପଦାରେ ବନ୍ୟାଜଳ ମଧ୍ୟାହ୍ନରେ ପହଞ୍ଚିଥିଲେ ବି ଯାଜପୁରର ବନ୍ୟାପ୍ରବଣ ଦଶରଥପୁର ବ୍ଲକ ଅଞ୍ଚଳରେ ୫ଟା ଯାଏ ନଦୀ ଫୁଲି ନଥିଲା। ୫ଟା ପରେ ବୈତରଣୀ ଧୀରେଧୀରେ ବଢ଼ିଥିଲା । ଗୁରୁବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ବୈତରଣୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହୋଇଥିଲା। ଏହି ବନ୍ୟା ଯୋଗୁ ଦତ୍ତପୁରଠାରେ ବୈତରଣୀରେ ତିଆରି ହୋଇଥିବା ଏକ ବାଉଁଶଚାର ପୋଲ ଭାସିଯାଇଥିଲା । ଏହି ସମୟରେ ସେଥିରେ ଯାଉଥିବା ଦୁଇଜଣ ଲୋକ ଭାସିଯାଇଥିଲେ ।

ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ଥିବାବେଳେ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗାଠାରେ ପୋଲ ଉପରେ ପାଣି ଚାଲୁଛି । ଫଳରେ କେନ୍ଦୁଝର-ମୟୂରଭଞ୍ଜ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୈତରଣୀର ବିଭିନ୍ନ ଶାଖା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଯୋଡ଼ା ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥ ଉପରେ ପାଣି ଚାଲିବାରୁ ଲୁହାପଥର ପରିବହନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ରାଞ୍ଚି-ବିଜୟୱାଡ଼ା ରାଜପଥର ମଙ୍ଗଳପୁରଠାରେ ପୋଲ ଉପରେ ପାଣି ଚାଲିବାରୁ ଯାତାୟାତ ବନ୍ଦ ‌ହୋଇଯାଇଛି । ହାଟଡିହି ବ୍ଲକର ଏକାଧିକ ଗାଁରେ ପାଣି ପଶି ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।