ବନ୍ୟାର ଆଁ ଭିତରେ ବାଙ୍କୀ । ଉବୁଟୁବୁ ହେଲା କେନ୍ଦ୍ରାପଡ଼ା, ପାଣିଘେରରେ ହଜାର ହଜାର ଲୋକ । ତିର୍ତ୍ତୋଲ ଓ ପାରାଦୀପରେ ଗାଁ ବୁଡ଼ିଯିବା ପରି ପରିସ୍ଥିତି । ଯାଜପୁର ବରୀରେ ସ୍ଥିତି ସଙ୍ଗୀନ, କଣାସରେ ୨୦୦ ଫୁଟର ଘାଇ

191

କନକ ବ୍ୟୁରୋ: ପ୍ରଳୟଙ୍କରୀ ବନ୍ୟାର ଆଁ ଭିତରେ ପୁରା ଗାଁ । ବନ୍ୟା ଜଳରେ ଉବୁଟୁବୁ ହେଉଛି ବାଙ୍କୀ । ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ୧୫ଟି ପଂଚାୟତର ଶତାଧିକ ଗାଁ । ପାଣି ଘେରରେ ଭୋକ ଉପାସରେ ଅଛନ୍ତି ଲୋକେ । ଗାଁ ଦାଣ୍ଡରେ ବେକେ ପାଣି ଆଉ ତାଭିତରେ ଚାଲିଛି ଜୀବନ ସହ ସଂଘର୍ଷ । ପାଣିରେ ବୁଡି ରହିଛି ଘରଦ୍ୱାର ।

ରାଜନଗର– ନଦୀର ବନ୍ୟାଜଳ ଘର ବୁଡାଇଦେଇଛି । ଗାଁ ଦାଣ୍ଡରେ ଭେଳା ଚାଲିଛି । ବ୍ରାହ୍ମଣୀ ନଦୀର ବନ୍ୟା ଜଳ କେନ୍ଦ୍ରାପଡାରେ ପ୍ରଳୟ ଆଣିଛି । ପାଣି ଘେରରେ ରହିଛି ଜିଲ୍ଲାର ୨ଟି ବ୍ଳକ୍ । ରାଜନଗର ଓ ପଟାମୁଣ୍ଡାଇର ୨୦ ପଂଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ଲୋକେ ଜଳବନ୍ଦୀ ଅଛନ୍ତି । ନା ଘରୁ ବାହାରିହେଉଛି , ନା ଘରେ ରହିବାକୁ ସ୍ଥାନ ଅଛି । ୪ ଦିନ ହେଲା ଗାଁକୁ ରାସ୍ତା ନାହିଁ । ଗାଁ ଗାଁରେ ଡଙ୍ଗା ଚାଲିଛି ।

ଭଦ୍ରକ.. ବୈତରଣୀର ବନ୍ୟା ଜଳ ମାଡି ଯାଇଛି ଭଦ୍ରକ ଜିଲ୍ଲାରେ । ୪ ଦିନ ହେଲା ଲୋକେ ପାଣି ଭିତରେ ଫଶି ରହିଛନ୍ତି । ଜିଲ୍ଲାର ନାଲଗୁଣ୍ଡା ଅଂଚଳରେ ବନ୍ୟା ପ୍ରଳୟ ଆଣିଛି । ..

ତିର୍ତ୍ତୋଲ.. ଏପଟେ ବଢୁଛି ଦେବୀ ଓ ପାଇକା ନଦୀର ଜଳସ୍ତର । ମହାନଦୀ ଅବବାହିକାରେ ଥିବା ତିର୍ତୋଲର ଅନେକ ଗାଁ ବୁଡିବାକୁ ବସିଛି । ଶହ ଶହ ଲୋକ ପାଣି ଭିତରେ ରହିଛନ୍ତି ।

ପାରାଦୀପ.. କୁଜଙ୍ଗ ବ୍ଳକର ୪ଟି ପଂଚାୟତ ଜଳମଗ୍ନ ହୋଇଛି । ପାଇକା ଓ ମହାନଦୀ ମଝିରେ ରହିଥିବା କାଠକୋଟ, ହଂସୁରା, ବଡବାଲିକଣି, ସାମପୁର ଓ ଜିଲ୍ଲାନାସୀ ଭଳି ପଂଚାୟତ ଜଳବନ୍ଦୀ । ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡିରହିଛି । ୨୦୧୧ ପରେ ଏହି ବନ୍ୟା ସଂଗୀନ ସ୍ଥିତି ସୃଷ୍ଟି କରିଛି ।

ବରି .. ୪ ଦିନ ହେଲା ଯାଜପୁରର ବରି ବ୍ଳକ୍ ଜଳବନ୍ଦୀ । ବୈତରଣୀର ବନ୍ୟା ଜଳ ଗାଁ ଗାଁରେ ପଶିଛି । ଘରୁ ପଦାକୁ ବାହାରିହେଉନି । ଚାରିଆଡେ ପାଣି ଘେରି ରହିଥିବା ବେଳେ ଡଙ୍ଗା ସାଜିଛି ଏକମାତ୍ର ସାହାରା ।

ଯାଜପୁର.. ଜିଲ୍ଲାର ୧୦ଟି ବ୍ଳକରେ ବନ୍ୟା ତାଣ୍ଡବ ରଚିଛି । ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଜଳ ଗାଁକୁ ପଶିଆସିବା ପରେ ଘର ତଳେ ଘାଇ କରିଛି । ବିରୁପା ଓ କେଲୁଅ ନଇର ସ୍ରୋତରେ କେତେବେଳେ ଘର ଭାସିଯିବ କହିହେବନି । ଗାଁ ଲୋକ ବାଲି ବସ୍ତା ପକାଇ ଘରକୁ ଜଗି ରହିଛନ୍ତି ।

ଖୋର୍ଦ୍ଧା.. ଉପକୂଳ ଜିଲ୍ଲା ଖୋର୍ଧାରେ ଫୁଲୁଛି ରାଜୁଆ ନଦୀ । ଏହାର ପ୍ରଭାବରେ ଜିଲ୍ଲାର ନରଣଗଡ ଓ ଓରବରସିଂ ପଂଚାୟତର ୧୫ଟି ଗାଁ ରେ ପାଣି ପଶିଛି । ଗାଁରେ ଏବେ ୪ ଫୁଟରୁ ଅଧିକ ଉଚ୍ଚରେ ପାଣି ରହିଛି । ଡଙ୍ଗା ବୁଲୁଛି ଗାଁ ଦାଣ୍ଡରେ । ପ୍ରଶାସନର ସହାୟତାକୁ ବିପନ୍ନ ଅନେଇ ବସିଛନ୍ତି ।..

କଣାସ.. ଏପଟେ କଣାସ ପାଇଁ ବିପଦ ଆଣିଛି ଦୟାନଦୀ । ମାଟିଆପଡାରେ ୨ ଶହ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଗଡମାଟିଆ ପଡା ପଂଚାୟତ ପାଣି ଘେରରେ ରହିଛି । ୩୦ରୁ ଅଧିକ ଗାଁ ଜଳବନ୍ଦୀ । କେଉଁଠି ଡଙ୍ଗା ଚାଲିଛି ତ ଆଉ କେଉଁଠି ଲୋକେ ଭେଳା କରି ଯାଉଛନ୍ତି ।

ଅନୁଗୁଳ.. ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରବଳ ବନ୍ୟା । ଅନୁଗୁଳ ଟିକରପଡା ରାସ୍ତାରେ ଚାଲିଛି ଆଂଠୁଏ ପାଣି । ଦେଢଶହରୁ ଅଧିକ ପରିବାରର ୬ଶହରୁ ଅଧିକ ଲୋକ ବାସ ହରାଇଛନ୍ତି । ଚାଷ ଜମିରେ ପାଣି ମାଡିଯାଇଛି । ଗାଁରେ ବିଜୁଳି ନାହିଁ । ଲୋକେ ସ୍କୁଲ ଓ ପଂଚାୟତ ଅଫିସରେ ଆଶ୍ରୟ ନେଇଛନ୍ତି । ଏଭଳି ସ୍ଥିତିରେ ଅପେକ୍ଷା ରହିଛି କେବେ କମିବ ପାଣି ଆଉ କେବେ ସୁଧୁରିବ ସ୍ଥିତି ।