କନକ ବ୍ୟୁରୋ: ଆସାମରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ୭ ଜିଲ୍ଲାର ପାଖପାଖି ୫୭ ହଜାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୩୨୧.୪୪ ହେକ୍ଟର ଚାଷ ଜମି ଜଳମଗ୍ନ ଅବସ୍ଥାରେ ରହିଛି । ଉତ୍ତର ଭାରତରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଉତ୍ତର ପୂର୍ବରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ସହ ଭୂ-ସ୍ଖଳନ ସ୍ଥି୍ତିକୁ ଜଟିଳ କରିଦେଇଛି । ଲୋକେ ନାହିଁନଥିବା ଅସୁବିଧା ଭୋଗୁଥିବା ବେଳେ ୧୨ଟି ଗାଁରେ ଲଗାତର ଭୂ-ସ୍ଖଳନ ଜାରିରହିଛି ।

Advertisment

ପ୍ରଶାସନିକ ଅଧିକାରୀଙ୍କ କହିବାନୁଯାୟୀ, କଛାର ଜିଲ୍ଲାରେ ବର୍ତ୍ତମାନ ଜଣେ ଶିଶୁ ସମେତ ତିନି ଜଣ ନିଖୋଜ ରହିଛନ୍ତି । ଦିମା ହସାଓ ଜିଲ୍ଲାର ହାଫଲୋଙ୍ଗରେ ଶନିବାର ଭୁ-ସ୍ଖଳନରେ ଜଣେ ମହିଳା ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା, ଜଳ ଜମିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ଟ୍ରାକ, ବ୍ରିଜ, ସଡକ ବ୍ୟାପକ କ୍ଷତିର ସାମ୍ନା କରିଛନ୍ତି ।

ଆସାମ କଛାର ଜିଲ୍ଲାରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆହୋଇଥିବା ସୂଚନାରେ ୩ ଜଣ ନିଖୋଜ ରହିଛନ୍ତି । ରାଜ୍ୟର ଡିଜାଷ୍ଟର ରେସପନ୍ସ ଫୋର୍ସ, ଅଗ୍ନିଶମବାହିନୀ, ଉଦ୍ଧାରରେ ଲାଗିପଡିଛନ୍ତି । ୭ ଜିଲ୍ଲାର ୫୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୧୫ ରାଜସ୍ୱମଣ୍ଡଳରେ ପାଖାପାଖି ୨୨୨ ଗାଁ ବନ୍ୟା ଦ୍ୱାର ପ୍ରଭାବିତ ହୋଇସାରିଛନ୍ତି ।

ବନ୍ୟାରେ କେବଳ ସାଧାରଣ ଲୋକ ପ୍ରଭାବିତ ହୋଇଛନ୍ତି ତାହା ନୁହେଁ ହଜାର ହଜାର ପଶୁ ମଧ୍ୟ ଅସୁବିଧାରେ ଅଛନ୍ତି । ପ୍ରବଳ ବର୍ଷା ପରେ ଟ୍ରେନ ଚଲାଚଳ ଉପରେ ରୋକ ଲାଗିଛି । ରବିବାର ସିଲଚର-ଗୌହାଟି ଏକ୍ସପ୍ରେସ ବନ୍ୟାର ଭିତରେ ଆସିଥିଲା । ଟ୍ରେନରେ ଥିବା ୧୧୯ ପାସେଞ୍ଜରଙ୍କୁ ଭାରତୀୟ ବାସୁସେନା ଉଦ୍ଧାର କରିଛି । ସମସ୍ତ ପାସେଞ୍ଜରଙ୍କୁ ଏୟାରଲିଫ୍ଟ ପରେ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ।