ସୁନାର ଫସଲ ଧୋଇନେଲା ବୈତରଣୀ ବନ୍ୟା ! ହଜାର ହଜାର ହେକ୍ଟର ଜମିରେ ନଷ୍ଟ ହେଲା ଅମଳକ୍ଷମ ଧାନ ଫସଲ, କ୍ଷତିପୂରଣ ଦାବି ।

43

କନକ ବ୍ୟୁରୋ : ବର୍ଷା ଉଜାଡି ଦେଇଛି ଫସଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ଫଳାଇଥିବା ସୁନାର ଫସଲ  ନଷ୍ଟ ହେବା ଦେଖି ହତାସ ହୋଇପଡିଛି ଚାଷି । ରୁଆ ଧାନ ବିଲ ସାଙ୍ଗକୁ ଦିନ କେଇଟା ପରେ ଅମଳ ହେବାକୁ ଥିବା ପାଚିଲା ଧାନ କ୍ଷେତରେ ଜମି ରହିଛି ପାଣି । ଫଳରେ କେଉଁଠି ରୁଆ ଧାନ ସବୁ ପଚି ଗଲାଣି ତ ଆଉ କେଉଁଠି ପାଚିଲା ଧାନ ଗଜା ହୋଇଗଲାଣି । ଯାହାକୁ ଦେଖି ଧାରକରଜ କରି ଚାଷ କାର୍ଯ୍ୟ କରିଥିବା ଚାଷି ଆଖିରୁ ନିଦ ହଜିଯାଇଛି ।

ବର୍ଷା ଧୋଇନେଲା ଚାଷୀର ସ୍ୱପ୍ନ । ପଚିଲା ତଳି, ଗଜା ହେଲା ପାଚିଲା ଧାନ । କେନ୍ଦ୍ରାପଡାରେ ହୋଇଥିବା ବର୍ଷା ଯୋଗୁ ଗରଦପୁର ବ୍ଲକର ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି । ବର୍ଷା କମିବା ପରେ ବି ପାଚିଲା ଧାନ ବିଲରେ ବର୍ଷା ପାଣି ଜମି ରହିଛି । ଫଳରେ ଦିନ କେଇଟା ପରେ ଅମଳ ହେବାକୁ ଥିବା ଧାନ ଏବେ ଗଜା ହେବାକୁ ବସିଲାଣି । ବ୍ଲକର ବେରାଡି, ପାଟକୁରା, ଗରଦପୁର, ବଙ୍ଗାଳପୁର, ନଡିଆବରାଇ, ପଦ୍ମପୁର ଏବଂ ତଳକୁସୁମା ଭଳି ଅନେକ ପଂଚାୟତରେ ଧାନ ଫସଲ ବ୍ୟାପକ କ୍ଷତି ହୋଇଛି । ଧାନ ଜମିରେ ବର୍ଷା ପାଣି ଜମି ରହିବାରୁ ଚାଷି ପାଚିଲା ଧାନ ଫସଲକୁ ପାଣିରୁ ଛାଣି ଅମଳ କରୁଥିବା ଦେଖିବାକୁ ମିଳୁଛି ।

ଗରଦପୁର ବ୍ଲକରେ ୭,୫୦୦ ହେକ୍ଟର ଜମିରେ ବିଆଳି ଧାନ ଚାଷ କରାଯାଏ । ଖାଲୁଆ ଅଂଚଳ ହୋଇଥିବାରୁ ୯୦ ଦିନିଆ ଅମଳକ୍ଷମ ବିଅଳି ଧାନ ଚାଷ କରାଯାଏ । ଚଳିତବର୍ଷ  ୨,୬୦୦ ହେକ୍ଟର ଜମିରେ ବର୍ଷା ଦିନିଆ ଶାଳ ଧାନ ଚାଷ କରାଯାଇଛି । ଗରଦପୁର ବ୍ଲକରେ ବର୍ଷା ଦିନିଆ ଚାଷ ନଷ୍ଟ ହେବା ପରେ ଚାଷୀଙ୍କୁ କରଜ ସୁଝିବା ଚିନ୍ତା ଘାରିଛି । ପ୍ରବଳ ବର୍ଷା ପ୍ରଭାବରେ ବ୍ଲକରେ ବ୍ୟାପକ ମାତ୍ରାରେ ଧାନ ଫସଲ କ୍ଷତି ହୋଇଛି । ଜମିରୁ ପାଣି କମିଲେ ଏହାର ତଦନ୍ତ କରାଯାଇ ରିଲିଫ କୋର୍ଡର ନିୟମ ଅନୁସାରେ କ୍ଷୟକ୍ଷତିର ଆକଳନ କାରାଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ତୁରନ୍ତ ବର୍ଷା ପ୍ରାଭବିତ ଚାଷୀଙ୍କର ଫସଲ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।