ସକାଳେ ପାଣି ଆସିବ, ସନ୍ଧ୍ୟାରେ ବନ୍ୟା ମାଡିବ ! ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା । 

372

କନକ ବ୍ୟୁରୋ :  ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ସୂଚନା । ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା ଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । କଟକ, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାକୁ ସତର୍କ କରାଯାଇଛି । ଏସଆରସି କହିଛନ୍ତି, ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳିରେ ପ୍ରବାହିତ ହେବ ୮ଲକ୍ଷ କ୍ୟୁସେକ ଜଳ । ଯାହାର ପ୍ରଭାବରେ ଏହି ୪ ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଏକ ନିମ୍ନ ମଧ୍ୟମ ଧରଣର ବନ୍ୟା ପାସ୍ କରିବ । ଯେହେତୁ ଛତିଶଗଡରେ ପ୍ରବଳ ବର୍ଷା ହେଉଛି ସେଥିପାଇଁ ହୀରାକୁଦକୁ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିଭଳି ହୀରାକୁଦରୁ ୨୮ଟି ଗେଟ୍ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନଦୀ ମଧ୍ୟକୁ ନିଷ୍କାସିତ ହେଉଛି । ଯାହାର ପ୍ରଭାବରେ ଶନିବାର ସକାଳ ସୁଦ୍ଧା ମୁଣ୍ଡଳୀରେ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏହାବାଦ୍ ଆଗକୁ ପୂର୍ଣ୍ଣିମା ଥିବାରୁ ଜଳ ନିଷ୍କାସନରେ ସମସ୍ୟା ଦେଖାଦେବ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ଯେଉଁଥିପାଇଁ ଏହା ଉପରେ ନଜର ରଖିବାକୁ ଜଳ ସମ୍ପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ଯେଉଥିପାଇଁ ଉପକୂଳ ଜିଲ୍ଲା ଗୁଡିକରେ ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଓଡ୍ରାଫର ୩୦ଟି ଟିମ, ଏନଡିଆରଏଫର ୧୨ଟି ଟିମ ଓ ଅଗ୍ନିଶମର ୧୦ଟି ଟିମକୁ ମୁତୟନ କରାଯାଇଛି । ତେବେ ବର୍ତମାନ ସୁଦ୍ଧା ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ୨ଜଣ ନିଖୋଜ ଅଛନ୍ତି ।

ଏହାଭିତରେ  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୧୮ରେ ଉତର ଓଡ଼ିଶାରେ ଏହା କେନ୍ଦ୍ରୀଭୂତ ହେବ । ଏହାକୁ ନଜରରେ ରଖି ୧୯ ଓ ୨୦ତାରିଖରେ ଅଧିକ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଇଏମଡି ଡିଜି ସୂଚନା ଦେଇ କହିଛନ୍ତି, ପୂର୍ବ ଲଘୁଚାପ ଭଳି ଏହାର ପ୍ରଭାବ ନରହିପାରେ । ତେବେ ସୃଷ୍ଟି ହୋଇଥିବା ଘୂର୍ଣିର୍ବଳୟକୁ ନଜରରେ ରଖି ତିନି ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏହା ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଆଡେ ମୁହାଁଇବ । ଏହାର ପ୍ରଭାବରରେ ଆସନ୍ତାକାଲିଠାରୁ ପାଗ ମେଘୁଆ ରହିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ୧୮ ତାରିଖ ବେଳକୁ ବର୍ଷାର ପରିମାଣ ବଢିବା ସହ ତିନି ଦିନ ଅଧା ଓଡ଼ିଶାକୁ ଭିଜାଇବ ବୋଲି ଜଣାପଡ଼ିଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ୧୮ ତାରିଖରେ ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ ।  ସେହିପରି ୧୯ ତାରି୍ଖ ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ୧୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଭଦ୍ରକ, ବାଲେଶ୍ୱର. ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି  । ୨୦ ତାରିଖରେ ଉତର-ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାରେ ଅଧିକ ବର୍ଷିବ । ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ, ଦେବଗଡ ଓ ସମ୍ବଲପୁରରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।