ବନ୍ୟାର ସପ୍ତାହେ ପରେ ବି ଗାଁ ଦାଣ୍ଡରୁ ଖସୁନି ପାଣି । କଣାସରେ ଜଳବନ୍ଦୀରେ ଶହ ଶହ ଲୋକ, ଖୋର୍ଦ୍ଧାରେ ୧୫ ଗାଁ ପାଣିଘେରରେ, କୁଜଙ୍ଗ ବ୍ଲକର ୯ ପଂଚାୟତ ଓ ତିଗିରିଆରେ ବି ସମାନ ସ୍ଥିତି ।

122
କନକ ବ୍ୟୁରୋ: ମହାନଦୀର ଜଳସ୍ତର କମିବାରେ ଲାଗିଛି,  ତାଳିଆ ଅଂଚଳରେ ବି ପାଣି କମୁଛି । ହେଲେ ଏବେ ବି ତିଗିରିଆର ଚଷାଆଁରା ଓ ଉତରବାଙ୍କୀ ବ୍ଲକର ଓସ୍ତିଆ ଗାଁଟି ବାହ୍ୟଜଗତରୁ  ବିଚ୍ଚିନ୍ନ ହୋଇଯାଇଛି । ଗାୁଁ ସଂଯୋଗ କରୁଥିବା  ରାସ୍ତା ଉପରେ ୬ ଫୁଟର  ପାଣି ଚାଲୁଛି । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକ । ୬ ଦିନ ଧରି ଜଳବନ୍ଦୀ ଜୀବନ କଟାଉଛନ୍ତି ଗ୍ରାମବାସୀ ।
ପୁରୀ ସଦର ବ୍ଲକ ଭାର୍ଗବୀ ନଦୀର ଦୋବନ୍ଦାରେ ୩୦ ଫୁଟର ଘାଇ ହେବା ଫଳରେ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଯାଇଛି । ଉତରହଣା, ମଠସାହି,ଗୋଡସାହି, ପ୍ରଧାନସାହି, ବାଲିପାଟଣା, ମହାପାତ୍ର ସାହି, ସବର ସାହି,  ପୋଡାକେରା, ଅରେଇପଡା, ବଳଭଦ୍ର ପୁର, ସଂଘମାପୁର ଗାଁ ଜଳମଗ୍ନ ହୋଇଯାଇଛି । ଫଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ସେପଟେ ବନ୍ୟା ପାଣି ବିପନ୍ନଙ୍କ ପାଇଁ ଡାକି ଆଣିଛି ଦୁଃଖ । ଗାଁ ଦାଣ୍ଡରେ ୫ଫୁଟ ଉପରେ ପାଣି । ବର୍ଷା କମିଥିଲେ ମଧ୍ୟ ପାଣି ଛାଡିବାର ନାଁ ଧରୁନି । ଏହାରି ଭିତରେ ପୁରୀ ଜିଲ୍ଲା କଣାସ ବ୍ଲକ ଶିମିଳିପାଟଣା ଗାଁରେ ବର୍ତମାନ ଜମି ରହିଛି ବନ୍ୟା ପାଣି । ଏବେ କିଛି କିଛି ସ୍ଥାନରେ ପ୍ରାୟ ୧୦ ଫୁଟ ଉଚ୍ଚରେ ବି ପାଣି ଜମି ରହିଥିବାରୁ ଛାତ ଉପରେ ଆଶ୍ରୟ ନେଇଛନ୍ତି ଲୋକେ । ଏହା ସହିତ ଗୃହପାଳିତ ପଶୁଙ୍କୁ ବି ସାଥୀରେ ନେଇ ଘର ଛାତ ଉପରେ ଲୋକେ ମୁଣ୍ଡ ଗୁଂଜିଛନ୍ତି । କିଏ ତମ୍ୱୁ ପକାଇ ରହୁଛି, ତ କିଏ ଖୋଲା ଆକାଶ ତଳେ ଜୀବନ କାଟୁଛି । ତଳେ ଜମିଛି ବନ୍ୟା ପାଣି ।
କେବଳ ଏତିକି ନୁହେଁ ବନ୍ୟା ଆସିବା ପରେ ଘରେ ଚୁଲି ଜଳିବା ବି ବନ୍ଦ ହୋଇଗଲାଣି । ଖାଦ୍ୟ ଅଭାବକୁ ପାଣି ଅଭାବ ବନ୍ୟା ବିପନ୍ନଙ୍କ ପାଇଁ ଉକ୍ରଟ ସମସ୍ୟା ସୃଷ୍ଟି କରିଛି । ବନ୍ୟା ଜଳରେ ଏବେ ବି ଗାଁର ମନ୍ଦିର , ବିଦ୍ୟାଳୟ, ଘର , ରାସ୍ତା ସବୁକିଛି ବୁଡି ରହିଛି । ଜୁଆଡେ ଦେଖିବେ କେବଳ ଆଉ ପାଣି ସ୍ଥିତି । ଏପରି ଅବସ୍ଥାରେ କଣାସରେ ବନ୍ୟା ବିପନ୍ନ ଜଳବନ୍ଦୀ ଜୀବନ କାଟୁଛନ୍ତି ।