ଛତିଶଗଡ ଆଣିଲା ଓଡିଶାରେ ବନ୍ୟା ! ମହାନଦୀରେ ମାଡିଆସୁଛି ବନ୍ୟାଜଳ, ପାଣି ଘେରରେ ଅନେକ ଗାଁ ।

38

କନକ ବ୍ୟୁରୋ : ହୀରାକୁଦ ଗେଟ୍ ଖୋଲିବା ପରେ ବିଭିନ୍ନ ସ୍ଥାନରେ ବନ୍ୟା ପାଣି ପଶିଛି । ବିଶେଷ କରି ସୋନପୁର, ବୌଦ୍ଧ, ଭଦ୍ରକ ଭଳି ଜିଲ୍ଲା ବନ୍ୟା ପାଣି ଘେରରେ ରହିଛି । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ୪ ଫୁଟର ପାଣି ଚାଲୁଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

ହୀରାକୁଦର ବନ୍ୟା ପାଣି ମାଡିଯାଇଛି ତଳିଆ ଅଂଚଳରେ । ବ୍ରିଜ୍ ଉପରେ ୨ ଫୁଟର ପାଣି । ଫଳରେ ସୋନପୁର-ସମ୍ବଲପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୧୦ରୁ ଅଧିକ ପଂଚାୟତର ଲୋକେ ଜଳବନ୍ଦୀ । ଉପର ମୁଣ୍ଡରେ ବର୍ଷା ଓ ହୀରାକୁଦ ଡ୍ୟାମର ଗେଟ୍ ଖୋଲିବା ପରେ ସୋନପୁରରେ ବନ୍ୟା ଆଶଙ୍କା ଉପୁଜିଛି ।

ସେହିପରି ବୌଦ୍ଧରେ ବିପଦ ସଙ୍କେତ ପାଖାପାଖି ବୋହୁଛି ମହାନଦୀ । ଜିଲ୍ଲାର ହରଭଙ୍ଗା ବ୍ଲକ୍ ପାଣି ଘେରରେ ରହିଛି । ଜଗନ୍ନାଥ ସଡକର ୫ଟି ସ୍ଥାନରେ ୫ଫୁଟ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ତେଲ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ସହ କଳାହାଣ୍ଡି ହାତୀ ନଦୀର ବନ୍ୟା ପାଣିରେ ବୌଦ୍ଧ କଂଟାମାଳ ବୁଡି ରହିଛି । ବ୍ଲକର ୧୧ଟି ପଂଚାୟତ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଅଡାଗୁଡି ପୋଲ ଉପରେ ୩ ଫୁଟର ପାଣିର ସୁଅ ଛୁଟୁଛି । ଶହ ଶହ ହେକ୍ଟର ଚାଷ ଜମି ବୁଡି ରହିଛି । ବରଗାଁ, ଉମା, ଖଂଟିପଡା, ରେଙ୍ଗାଲୀ ଓ ଆମ୍ବ ଗାଁ ପଂଚାୟତର ୪୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ସେପଟେ ହଦଗଡ ଡ୍ୟାମରେ ୩ଟି ଗେଟ୍ ଖୋଲିବା ପରେ ଭଦ୍ରକ ଜିଲ୍ଲାର ତିହିଡି ଓ ଭଦ୍ରକ ବ୍ଲକର ବିଭିନ୍ନ ଗାଁ ଭିତରେ ବନ୍ୟା ଜଳ ପଶିଛି । ନଦୀବନ୍ଧରେ ୨୦ ଫୁଟର ଘାଇ ହୋଇଛି । ଫଳରେ ୫ରୁ ଅଧିକ ଗାଁର ଶତାଧିକ ଲୋକ ଜଳବନ୍ଦୀ ଅଛନ୍ତି । ଗାଁ ଦାଣ୍ଡରେ ବନ୍ୟା ପାଣି ଲହଡି ଭାଙ୍ଗୁଛି । ଲୋକଙ୍କ ଘର ଭିତରେ ବି ବନ୍ୟା ପାଣି ପଶିଛି । ସେହିପରି କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ପରିସରରେ ମହାନଦୀର ବନ୍ୟା ଜଳ ପଶିଛି । ପାଣିରେ ମା’ଙ୍କ ଗର୍ଭଗୃହ ବୁଡିବାକୁ ବସିଲାଣି । ସେପଟେ ଫୁଲୁଛି ସାଳନ୍ଦି ନଦୀ । ସେହିପରି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଗୁରୁପ୍ରିୟା । ବାଲିମେଳା ଜଳ ଭଣ୍ଡାର ବିପଦ ସଙ୍କେତ ଛୁଇଁଥିବା ବେଳେ ୨ଟି ଗେଟ୍ ଖୋଲାଯାଇଛି । ବାଲିମେଳା ଡ୍ୟାମ୍ ଖୋଲାଯିବା ପରେ ଚିତ୍ରକୋଣ୍ଡା ସମେତ ନୁଆଗୁଡା, ଦୋରାଗୁଡା ଓ ଗୁଣଅଠାବେଡା  ପଂଚାୟତରେ ସତର୍କ ସୁଚନା ଜାରି କରିଛି ଜିଲ୍ଲା ପ୍ରଶାସନ ।