ଛତିଶଗଡ଼: ମରୁଡି ଆଣୁଛି, ବନ୍ୟା ବି ଆଣୁଛି… ପଡୋଶୀର ମର୍ଜି ଉପରେ ଓଡିଶାର ଭାଗ୍ୟ ।

267

କନକ ବ୍ୟୁରୋ: ଯାହା ଆଶଙ୍କା ଥିଲା, ଠିକ ସେଭଳି ହିଁ ଘଟୁଛି । ମନମୁଖୀ କାର୍ଯ୍ୟ କରି ମହାନଦୀରେ ବନ୍ଧ ବାନ୍ଧିଥିବା ଛତିଶଗଡର ମର୍ଜି ଉପରେ ନିର୍ଭର କରୁଛି ଓଡିଶାର ଭାଗ୍ୟ । ଖରାଦିନେ ଡ୍ୟାମର ସବୁ ଗେଟ୍ ପଡିଯାଉଛି, ଆଉ ବର୍ଷାଦିନେ ଗେଟ୍ ଖୋଲିଦିଆଯାଉଛି ।

ଛତିଶଗଡ! ମରୁଡି କରାଉଛି, ବନ୍ୟା ବି କରାଉଛି । ଲଗାଣ ବର୍ଷା ପାଇଁ ରାଜ୍ୟରେ ମହାନଦୀ ଶଯ୍ୟାରେ ଯେଉଁ ବନ୍ୟା ଆଶଙ୍କା ଦେଖାଦେଇଛି ଏଥିପାଇଁ ଛତିଶଗଡର ମନମୁଖୀ କାର୍ଯ୍ୟ ବହୁପରିମାଣରେ ଦାୟୀ । ସୂଚନା ଅନୁସାରେ,

ଛତିଶଗଡର କଲମା ବ୍ୟାରେଜରୁ ପାଣି ଛଡାଯାଇଛି
– ପ୍ରବଳ ବର୍ଷା ଯୋଗୁଁ ସମସ୍ତ ୬୬ଟି ଗେଟ୍ ଖୋଲାଯାଇଛି
– ବ୍ୟାରେଜରୁ ୫ଲକ୍ଷ ୩୫ ହଜାର କ୍ୟୁସେକ ଜଳ ମହାନଦୀରେ ପ୍ରବାହିତ ହେଉଛି
– ହୀରାକୁଦରେ ପାଣି ପହଁଚିଲେ ଆହୁରି ଗେଟ୍ ଖୋଲିବା ଆଶଙ୍କା
– ପାଣି ରୋକିବାକୁ କଲମା ସମର୍ଥ ନଥିବାରୁ, ଗେଟ୍ ଖୋଲିଦିଆଯାଇଛି
– ମହାନଦୀରେ ପାଣିର ପ୍ରବାହ ବଢିବା, ରାଜ୍ୟର ବନ୍ୟା ଅଶଙ୍କାକୁ ବଢାଇଦେଇଛି

୨୦୧୬ରେ ରାଜ୍ୟ ସରକାର ମହାନଦୀରେ ନିର୍ମାଣଧୀନ ଅବସ୍ଥାରେ ଥିବା ଯେଉଁ ସବୁ ଡ୍ୟାମକୁ ବିରୋଧ କରୁଥିଲେ, ସେଥିରେ କଲମା ଥିଲା ଅନ୍ୟତମ । ଶିଳ୍ପସଂସ୍ଥାକୁ ପାଣି ଦେବାକୁ ଯାଇ ତିଆରି ହୋଇଥିବା ଏସବୁ ଡ୍ୟାମ୍ ଏବେ ଓଡିଶା ପାଇଁ ଘାତକ ସାଜିଲାଣି । ଅଣମୈାସୁମୀ ଋତୁରେ ଯେତେବେଳେ ପାଣିର ଅଭାବ ଦେଖାଦିଏ, ସେତେବେଳେ ଡ୍ୟାମର ଗେଟ୍ ପକାଇ ଦେଇଥାନ୍ତି ଛତିଶଗଡ ସରକାର । ଫଳରେ ହୀରାକୁଦକୁ ପାଣି ପ୍ରବାହ କମିଯାଏ, ତେଣୁ ତଳମୁଣ୍ଡରେ ପାଣିର ପ୍ରବାହକୁ ରୋକିଦିଆଯାଏ । ଅର୍ଥାତ୍, ହୀରାକୁଦ ଗେଟ୍ ଖୋଲେନାହିଁ । ଫଳରେ ଜଳସେଚନ ଠାରୁ ଆରମ୍ଭ କରି, ପ୍ରଭାବ ପାନୀୟ ଜଳ ଉପରେ ପଡିଥାଏ । ଯାହାର ଚିତ୍ର ପୂର୍ବରୁ ଆମେ ଆପଣଙ୍କୁ ଦେଖାଇଥିଲୁ । ହୀରାକୁଦ ତଳମୁଣ୍ଡରେ କିଭଳି ମହାନଦୀ ଶଯ୍ୟା ସଂପୁର୍ଣ୍ଣ ଶୁଖିଲା ପଡିଥିଲା ।

ଆଉ ଏବେ ଚିନ୍ତା ଅଧିକ ବର୍ଷା ପାଇଁ ସୃଷ୍ଟି ହୋଇଛି । ମୈାସୁମୀ ଋତୁରେ ଛତିଶଗଡର ବ୍ୟାରେଜରେ ପାଣି ଭରି ଯିବା ପରେ ଆଖି ବୁଜା ଗେଟ୍ ଖୋଲିଦିଆଯାଉଛି । ଫଳରେ ହୀରାକୁଦକୁ ଅଧିକ ପାଣି ଆସୁଛି, ଆଉ ବାଧ୍ୟ ହୋଇ ଗେଟ୍ ଖୋଲିଲେ, ବନ୍ୟା ସ୍ଥିତି ସୃଷ୍ଟି ହେଉଛି । ସେପଟେ ଛତିଶଗଡ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଅଧିକ ବର୍ଷା କାରଣରୁ ପାଣି ଛଡାଯାଇଛି ।

ଜଳ ପରିଚାଳନା କ୍ଷେତ୍ରରେ ଉଭୟ ଡ୍ୟାମ କର୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ଜରୁରୀ । ହେଲେ ଏଥିରେ ବ୍ୟତିକ୍ରମ ଦେଖାଦେବାର ଅନେକ ସମ୍ଭାବନା ରହୁଛି କାରଣ ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ଚାଲୁଥିବାରୁ, ଆଲୋଚନାର ସମ୍ଭାବନା କମିଯାଉଛି । ସମୋଡା, ସିଓରିନାରାୟଣ, ବସନ୍ତପୁର, ମିରୈାନି, ସାରାଡିହି, କଲମା ଭଳି ବ୍ୟାରେଜ ଯେତେବେଳେ ନିର୍ମାଣ ଚାଲିଥିଲା, ସେତେବେଳେ ଓଡିଶାରେ ରାଜନୈତିକ ଆନ୍ଦୋଳନ ଜୋର ଧରିଥିଲା । ସେଭ୍ ମହାନଦୀ କ୍ୟାମ୍ପେନ ଆରମ୍ଭ କରିଥିଲା ଶାସକ ଦଳ । ଏକାଧିକ ଆଲୋଚନା ହେଲା, ନିଷ୍କର୍ସ ବାହାରିଲାନି । ମାମଲା ଏବେ ଟ୍ରିବ୍ୟୁନାଲରେ ରହୁଛି । ହେଲେ ସର୍ବାଧିକ କ୍ଷତି ଓଡିଶାକୁ ସହିବାକୁ ପଡୁଛି ।