କନକ ବ୍ୟୁରୋ: ଆପଣ ସାଧାରଣ ଭାବେ ପରିବା ମାର୍କେଟ ଦେଖିଥିବେ । ଗାଁଠୁ ସହର ସବୁଠି କେଉଁଠି ନାଁ କେଉଁଠି ପରିବା ମାର୍କେଟ ନିଶ୍ଚିତ ଥିବ । ଯେଉଁଠିକୁ ଆପଣ ଯାଇ ବୁଲାବୁଲି କରି ପରିବା କିଣିଥାନ୍ତି । ହେଲେ ଆମେ ଆଜି ଏମିତି ଏକ ପରିବା ମାର୍କେଟ କଥା କହିବୁ ଯେଉଁଠିକୁ ଆପଣଙ୍କୁ ଯିବାକୁ ହେଲେ ସାଇକେଲ କି ବାଇକ ନୁହେଁ ବରଂ ଡଙ୍ଗାର ଆବଶ୍ୟକତା ପଡିବ । ଆଜ୍ଞା ହଁ ଭାରତରେ ଏମିତି ଏକ ପରିବା ମାର୍କେଟ ରହିଛି ଯାହାକି ପାଣିରେ ଭାସୁଛି ଅର୍ଥାତ ଏହା ଏକ ହ୍ରଦ ଭିତରେ ଅବସ୍ଥିତ ।
ଏଭଳି ଏକ ପରିବା ମାର୍କେଟ ଭାରତର ଜାମ୍ମୁ କାଶ୍ମୀରରେ ରହିଛି । କାଶ୍ମୀର ସୁନ୍ଦରତା ପାଇଁ ସାରା ବିଶ୍ୱ ପ୍ରସିଦ୍ଧ । ଆଉ ଏଭଳି ଏକ ପରିବା ମାର୍କେଟ କାଶ୍ମୀର ସୌନ୍ଦର୍ଯ୍ୟର ଆଉ ଏକ କାରଣ । ଏହି ମାର୍କେଟକୁ ଲୋକମାନେ ପରିବା କିଣିବାକୁ ତ ଆସିଥାନ୍ତି, ଏହାସହ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଏହା ଦୃଷ୍ଟି ଆକର୍ଷଣ ମଧ୍ୟ କରିଥାଏ । ପର୍ଯ୍ୟଟକମାନେ ଏଠାକୁ ଆସି ବୁଲିବା ସହ ପରିବା ମଧ୍ୟ କିଣିଥାନ୍ତି । ନିଜ ସୌନ୍ଦର୍ଯ୍ୟ ପାଇଁ ଏହି ପରିବା ମାର୍କେଟ ଲୋକମାନଙ୍କୁ ବେଶ ଆକୃଷ୍ଟ କରିଛି ।
କାଶ୍ମୀରର ଡଲ ହ୍ରଦରେ ଏହି ପରିବା ମାର୍କେଟ ରହିଛି । ଆଉ ଲୋକମାନେ ପରିବା କିଣିବା ପାଇଁ ଏଠାକୁ ଡଙ୍ଗା ସାହାଯ୍ୟରେ ଆସିଥାନ୍ତି । ଡଲ ହ୍ରଦରେ ଅବସ୍ଥିତ ଏହି ପରିବା ମାର୍କେଟ ଶ୍ରୀନଗରର ଏକ ହୋଲସେଲ ବଜାର । ଏହା ସକାଳୁ ସକାଳୁ ଖୋଲି ଘଣ୍ଟାଏ ଦୁଇ ଘଣ୍ଟା ମଧ୍ୟରେ ବନ୍ଦ ହୋଇ ଯାଏ । ତେବେ ଏହି ସମୟ ମଧ୍ୟରେ ଲୋକମାନେ ଏଠାରେ ପରିବା କିଣିଥାନ୍ତି ।
ଏହି ପରିବା ମାର୍କେଟରେ ତାଜା ପରିବା ମିଳିଥାଏ । କାରଣ ଏଠାରେ ବିକ୍ରି ହେଉଥିବା ପରିବା ଦୋକାନୀମାନେ ନିଜ ଘର ବାଡିରେ ହିଁ ଚାଷ କରିଥାନ୍ତି । ଏଠାରେ ହାଉସବୋଟରେ ରହୁଥିବା ଲୋକମାନେ ମଧ୍ୟ ପରିବା ବିକ୍ରି କରିଥାନ୍ତି । ଡାଲ ହ୍ରଦରେ ଥିବା ଏହି ମାର୍କେଟ କାଶ୍ମୀରର ସବୁଠାରୁ ପୁରୁଣା ମାର୍କେଟ । କୋଉ କାଳରୁ ଏଠାରେ ଲୋକମାନେ ଏହିଭଳି ଭାବେ ପରିବା ବିକ୍ରି କରି ଆସୁଛନ୍ତି ।
କେବଳ କାଶ୍ମୀର ନୁହେଁ ଏବେ କେରଳ ଓ ପଶ୍ଚିମବଙ୍ଗରେ ମଧ୍ୟ ଏଭଳି ଭାସମାନ ବଜାର ଖୋଲିଲାଣି । ଯାହା ସ୍ଥାନୀୟ ଲୋକଙ୍କ ବ୍ୟତୀତ ପର୍ଯ୍ୟଟକମାନଙ୍କୁ ମଧ୍ୟ ବେଶ ଆକୃଷ୍ଟ କରୁଛି । ଭାରତ ଛଡା ବିଦେଶରେ ମଧ୍ୟ ଏଭଳି ମାର୍କେଟ ରହିଛି ।
Follow Us